ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ତତ୍ପରତା; କ୍ଷତିପୂରଣ ଓ ପୁନରୁଦ୍ଧାରକୁ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବାତ୍ୟା ‘ଅର୍ଣ୍ଣବ’ ଓ ତତ୍‌ଜନିତ ଆକସ୍ମିକ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଏହାର ପ୍ରକୃତ ଚିତ୍ର ଆକଳନ ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଓ ଭିତ୍ତିଭୂମିର ପୁନରୁଦ୍ଧାର ନିମନ୍ତେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍, କ୍ଷତିପୂରଣ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, କ୍ଷତିପୂରଣ ପ୍ୟାକେଜ୍ ପ୍ରଦାନ ଏବଂ ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର ଉପରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିଶନର ଭାବେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରୀୟ ଟିମ୍ ପ୍ରଥମେ ଅଚୁଳି ଗ୍ରାମରେ ପହଞ୍ଚି ଋଷିକୂଲ୍ୟା ନଦୀର ନଦୀବନ୍ଧ କ୍ଷତି, ଚାଷ ଜମିରେ ବାଲି ମାଡ଼ିବା ଓ ଉଠା ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ହାଣ୍ଡିଘର ଗ୍ରାମରେ ପହଞ୍ଚି ଗ୍ରାମ୍ୟ ଉନ୍ନୟନ ରାସ୍ତା, ବିଦ୍ୟୁତ୍ ଖୁଣ୍ଟ ଓ ଉଦ୍ୟାନ କୃଷି ଫସଲର କ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହାପରେ ପୁରୁଷୋତ୍ତମପୁର ସହର ଓ ପ୍ରତାପୁର ଛକ ଦେଇ ହିରାଧରବାଟି ଜଳସେଚନ ପ୍ରକଳ୍ପରେ ପହଞ୍ଚି ସେଠାରେ ଜଳସେଚନ ଭିତ୍ତିଭୂମି ଓ ଆନିକଟ୍‌ର କ୍ଷୟକ୍ଷତି ଯାଞ୍ଚ କରିଥିଲେ। ଏହି ଗସ୍ତ ସମୟରେ ଆରଡିସି ବିଜୟ ଅମୃତ କୁଲାଙ୍ଗ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ସୁଭାଷିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ସମେତ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଟିମ୍‌କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବନ୍ୟା ଯୋଗୁଁ ନଦୀବନ୍ଧ, ଜଳସେଚନ ବ୍ୟବସ୍ଥା ଓ କୃଷି କ୍ଷେତ୍ରରେ ହୋଇଥିବା କ୍ଷତିର ପ୍ରକୃତ ଚିତ୍ର ସଂଗ୍ରହ କରିବା ଏହି ଅନୁଧ୍ୟାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଅନ୍ୟପକ୍ଷରେ, ଟିମ୍‌ର ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷତିଗ୍ରସ୍ତ ବାସଗୃହ, ଚାଷ ଜମି, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରିବା ସହ ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୁପାରିସ କରିବା। ଏହାଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ, ବ୍ୟବସାୟୀ ଓ ପରିବାରଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନର୍ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ତେବେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଜମି, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ସହ ସାଧାରଣ ଲୋକଙ୍କୁ କେବେ ଓ କେତେ ପରିମାଣର କ୍ଷତିପୂରଣ ମିଳିବ, ତାହା ଏବେ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରମୁଖ ଆଶା ଓ ଅପେକ୍ଷାର ବିଷୟ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.