ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କରଣ ସମାଜ ପକ୍ଷରୁ ସଭାପତି ଶ୍ରୀ ରାମ ଶଙ୍କର ଦାସ ଏବଂ ସମ୍ପାଦକ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ୱରେ ଭବାନୀପାଟଣାସ୍ଥିତ କରଣ ସମାଜ ମନ୍ଦିର ପରିସରରେ ୨୦ତମ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପ୍ରାକଟ୍ୟ ଓ ପୂଜନୋତ୍ସବ ତିନିଦିନ ଧରି ମହାଆଡ଼ମ୍ବର, ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପୂଜନୋତ୍ସବର ପ୍ରଥମ ଦିବସ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୬ଟା ସମୟରେ ଶତାଧିକ ମହିଳା, ସମାଜର ବରିଷ୍ଠ ସଦସ୍ୟ ଓ ଯୁବକମାନଙ୍କ ଉପସ୍ଥିତିରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କଳସ ଯାତ୍ରା ନଗର ପରିକ୍ରମା କରି ସମାଜ ମନ୍ଦିରରେ ପହଞ୍ଚିଥିଲା। ଏହାପରେ ଏକ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା।
ଦ୍ୱିତୀୟ ଦିବସର ମୁଖ୍ୟ ପୂଜନୋତ୍ସବରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ଅଧ୍ୟକ୍ଷ ତଥା ବିଜେପି ଓଡ଼ିଶାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ କଣ୍ଟାଭାଞ୍ଜି କରଣ ସମାଜର ସଭାପତି ଶ୍ରୀ ରାଜୀବ କୁମାର ମହାନ୍ତି ଯୋଗଦେଇଥିବା ବେଳେ କଳାହାଣ୍ଡି କରଣ ସମାଜର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଶ୍ରୀ କାଳୀପ୍ରସାଦ ପଟ୍ଟନାୟକ ମଞ୍ଚାସୀନ ଥିଲେ।

ଏହି ଅବସରରେ ସମାଜର ସଭାପତି ଶ୍ରୀ ରାମଶଙ୍କର ଦାସ, ସମ୍ପାଦକ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ ପଟ୍ଟନାୟକ, ମହିଳା କମିଟିର ଆବାହିକା ସୁଶ୍ରୀ ସବିତା ପଟ୍ଟନାୟକ ଏବଂ ଯୁବ ସମାଜର ଆବାହକ ଶ୍ରୀ ପ୍ରଦୀପ କୁମାର ଦାସ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ପ୍ରମୋଦ ପଟ୍ଟନାୟକ ଓ ଶ୍ରୀ ହିମାଂଶୁ ପଟ୍ଟନାୟକ। ସାଂଗଠନିକ ସମ୍ପାଦକ ଶ୍ରୀ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ସବରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ କରଣ ସମାଜର ପ୍ରତିନିଧି, ବରିଷ୍ଠ ସଦସ୍ୟ, ମହିଳା ଓ ଯୁବପିଢ଼ି ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସେମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଗରିମା ଓ ଆକର୍ଷଣକୁ ଆହୁରି ବୃଦ୍ଧି କରିଥିଲା।

ମଞ୍ଚାସୀନ ଅତିଥିମାନେ ନିଜ ନିଜର ଅଭିଭାଷଣରେ ଚିତ୍ରଗୁପ୍ତ ମହାରାଜଙ୍କ ଆଦର୍ଶ, ସମାଜର ସାଂଗଠନିକ ଏକତା, ଶିକ୍ଷା, ସଂସ୍କୃତି ଓ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସମୀର ରଞ୍ଜନ ମହାନ୍ତି କଳାହାଣ୍ଡି କରଣ ସମାଜ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ଓ ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ। ଏଭଳି ସୁସଂଗଠିତ ଓ ଏକତାବଦ୍ଧ ସମାଜର ଉଦ୍ୟମକୁ ସେ ପ୍ରଶଂସା କରିବା ସହ ସମାଜର ଉନ୍ନତି ଓ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ।

ପୂଜାକର୍ତ୍ତା ଭାବେ ଶ୍ରୀମତୀ ସୁପ୍ରଭା ପଟ୍ଟନାୟକ ଓ ତାଙ୍କ ସ୍ୱାମୀ ଶ୍ରୀ ପାର୍ଥସାରଥୀ ପଟ୍ଟନାୟକ ବିଧିବିଧାନ ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ମହୋତ୍ସବର ସଫଳ ଆୟୋଜନରେ ସମାଜର ଅନେକ ସଦସ୍ୟ ଓ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ମନୋଜ ପଟ୍ଟନାୟକ, ବ୍ରଜବିହାରୀ ପଟ୍ଟନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ଶିବ ପଟ୍ଟନାୟକ, ଉତ୍ସବ ପଟ୍ଟନାୟକ, ସୁଶ୍ରୀ ସଙ୍ଗମିତ୍ରା କାନୁନଗୋ, ରଚିତା ମହାନ୍ତି, ଜ୍ୟୋତିରାଣୀ ଦାସ, ପ୍ରୀତି ପଟ୍ଟନାୟକ,ବସନ୍ତ ପଟ୍ଟନାୟକ,କାଳିନ୍ଦୀ ପଟ୍ଟନାୟକ, ନୂପୁର ପଟ୍ଟନାୟକ, ମାନସରଞ୍ଜନ ଦାସ, ମାନସ ମହାନ୍ତି (ଟୁକୁ ),ଫକୀର ଏବଂପ୍ରସନ୍ନ ସାହାଣୀ, ଅର୍ଜୁନ ପଟ୍ଟନାୟକ, ରଜତ ବାଳା ଦାସ,ପ୍ରିୟେଶ ପଟ୍ଟନାୟକଙ୍କ ସମେତ ଅନେକ ସଦସ୍ୟସଦସ୍ୟାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା।

ପରିଶେଷରେ ଯୁବ ସମାଜର ଆବାହକ ଶ୍ରୀ ପ୍ରଦୀପ କୁମାର ଦାସ ଉପସ୍ଥିତ ସମସ୍ତ ଅତିଥି, ସମାଜର ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମହିଳାମାନଙ୍କ ଦ୍ୱାରା ନାଟକ ପରିବେଷଣ ସହ ଶିଶୁମାନଙ୍କ ଆକର୍ଷଣୀୟ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଉତ୍ସବ ଶେଷରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା।

ପୂଜନୋତ୍ସବର ତୃତୀୟ ତଥା ଶେଷ ଦିବସ ନଭେମ୍ବର ୧୩ ତାରିଖରେ ବିଧିବିଧାନ ଅନୁଯାୟୀ କଳସ ବିସର୍ଜନ କରାଯାଇଥିଲା। ଏହିପରି ତିନିଦିନ ଧରି ଚାଲିଥିବା ଏହି ଭବ୍ୟ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ମହାଆଡ଼ମ୍ବର, ଉତ୍ସାହ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମାପନ ହୋଇଥିଲା। ଏହି ଉତ୍ସବ କରଣ ସମାଜର ସାଂସ୍କୃତିକ ପରମ୍ପରା, ସାମାଜିକ ଏକତା, ଭାଇଚାରା ଓ ସାଂଗଠନିକ ଦୃଢ଼ତାର ଏକ ସୁନ୍ଦର ପରିଚୟ ଦେଇଥିଲା।






