ବେପରୁଆ କାର୍‌ ଚାଳନାରୁ ଅଳ୍ପକେ ବର୍ତ୍ତିଲେ ପଥଚାରୀ; ବାଇକ୍‌କୁ ଚାପିଦେଲା କାର୍‌

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ଜନଗହଳିପୂର୍ଣ୍ଣ ଚିଡ଼ିଆପୋଲ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଧଳା ରଙ୍ଗର କାର୍‌ ବେପରୁଆ ଭାବେ ଚଳାଯାଇ ରାସ୍ତାକଡ଼ରେ ଥିବା ତେଲଭାଜି ଦୋକାନର ଠେଲାଗାଡ଼ିକୁ ଧକ୍କା ଦେବା ସହ ସମ୍ମୁଖରେ ରଖାଯାଇଥିବା ଏକ ବାଇକ୍‌ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ବାଇକ୍‌ଟି କାର୍‌ ତଳେ ଚାପି ହୋଇ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ସୌଭାଗ୍ୟବଶତଃ କେହି ମୃତାହତ କିମ୍ବା ଆହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, ଘଟଣା ସମୟରେ ରାସ୍ତାକଡ଼ରେ ଥିବା ତେଲଭାଜି ଠେଲା ଦୋକାନରେ ବ୍ୟବସାୟ ଚାଲିଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା କାର୍‌ଟି ହଠାତ୍‌ ନିୟନ୍ତ୍ରଣ ହରାଇ ଠେଲାଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ସମ୍ମୁଖରେ ଥିବା ବାଇକ୍‌ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାର ଭୟାବହ ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଖବର ପାଇ ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ ଓ କ୍ଷତିଗ୍ରସ୍ତ ବାଇକ୍‌କୁ ଜବତ କରିଥିଲା। ଏଥିସହ କାର୍‌ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। କାର୍‌ଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇଲା, ଚାଳକ ଅତ୍ୟଧିକ ବେଗରେ ଗାଡ଼ି ଚଳାଉଥିଲେ କି ନାହିଁ ଏବଂ ସେ ନିଶାସକ୍ତ ଅବସ୍ଥାରେ ଥିଲେ କି ନାହିଁ, ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି।ସହରର ମୁଖ୍ୟ ରାସ୍ତା ଓ ଜନଗହଳିପୂର୍ଣ୍ଣ ଛକଗୁଡ଼ିକରେ ଏଭଳି ବେପରୁଆ ଗାଡ଼ି ଚାଳନା ଯେକୌଣସି ସମୟରେ ନିରୀହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଆଜିର ଘଟଣାରେ ଜୀବନହାନି ହୋଇନଥିଲେ ମଧ୍ୟ ଏହା ସହରର ଟ୍ରାଫିକ୍‌ ସୁରକ୍ଷା ବ୍ୟବସ୍ଥା ଓ ବେପରୁଆ ଚାଳନା ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠାଇଛି। ଦୁର୍ଘଟଣା ପରେ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ଓ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.