ଛାତ୍ରଛାତ୍ରୀ ପହଞ୍ଚୁଛନ୍ତି ଠିକ୍ ସମୟରେ, କିନ୍ତୁ କିଛି ଶିକ୍ଷକଙ୍କ ବିଳମ୍ବକୁ ନେଇ ଅସନ୍ତୋଷ; ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ଦାବି
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲାରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି। ବିଶେଷକରି ସକାଳ ସମୟରେ ରାସ୍ତାଘାଟ କୁହୁଡ଼ିରେ ଢାଙ୍କି ହୋଇ ରହୁଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଉଛି। ଏହାର ପ୍ରଭାବ କୋରାପୁଟ ଓ ଦଶମନ୍ତପୁର ବ୍ଲକର କିଛି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଯାତାୟାତ ଉପରେ ପଡ଼ୁଛି। ସୂଚନା ଅନୁଯାୟୀ, ଏହି ଦୁଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ କୋରାପୁଟ ସହରରେ ରହି ବୋଲେରୋ, ସ୍କୁଟି ଓ ବାଇକ୍ ଯୋଗେ ପ୍ରତିଦିନ ବିଦ୍ୟାଳୟକୁ ଯାତାୟାତ କରନ୍ତି। ମାତ୍ର ଘନ କୁହୁଡ଼ି ଯୋଗୁଁ କିଛି ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏତେ ଘନ କୁହୁଡ଼ି ସତ୍ତ୍ୱେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ପହଞ୍ଚୁଥିବା ବେଳେ କିଛି ଶିକ୍ଷକଙ୍କ ବିଳମ୍ବକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। କୁହୁଡ଼ି ଯୋଗୁଁ ସୁରକ୍ଷିତ ଯାତାୟାତ ପାଇଁ ଅଧିକ ସମୟ ଲାଗିବା ସ୍ୱାଭାବିକ। ତଥାପି ଏହାକୁ ବିଳମ୍ବର ନିୟମିତ କାରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଶିକ୍ଷକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଆଧାର। ତେଣୁ ନିଜ ଦାୟିତ୍ୱ ପ୍ରତି ସମୟାନୁବର୍ତ୍ତିତା ଓ ନିଷ୍ଠା ରଖିବା ଅତ୍ୟନ୍ତ ଜରୁରୀ। ଏ ଦିଗରେ ବରିଷ୍ଠ ଶିକ୍ଷା ଅଧିକାରୀମାନେ ଦୃଷ୍ଟି ଦେବା ସହ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଉପସ୍ଥାନ ଓ ପହଞ୍ଚିବା ସମୟ ଯାଞ୍ଚ କରିବା ଆବଶ୍ୟକ। କୁହୁଡ଼ିର ପ୍ରଭାବ ଯୋଗୁଁ ଶିକ୍ଷାଦାନ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଶିକ୍ଷା ବିଭାଗ ଗୁରୁତ୍ୱ ଦେବାକୁ ଦାବି ହେଉଛି।





