ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ସାମାଜିକ ଉଦ୍ୟୋଗୀ, ସୁଶ୍ରୁତ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଆଣ୍ଡ୍ ଟ୍ରମା ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ୱାର୍ଲଡ୍ ଓଡ଼ିଶା ସୋସାଇଟିର ମହିଳା ଶାଖାର ସାଧାରଣ ସମ୍ପାଦକ ଡକ୍ଟର ଚିଦାତ୍ମିକା ଖଟୁଆଙ୍କୁ ‘ଇନ୍ସ୍ପାୟାରିଂ ଇଣ୍ଡିଆନ୍ ଅଫ୍ ଦି ଇୟର୍–୨୦୨୬’ ସମ୍ମାନ ପ୍ରଦାନ କରାଯାଇଛି। ଦେଶର ୧୦୦ ଜଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ତାଲିକାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ନାମ ସ୍ଥାନ ପାଇଛି। ଡକ୍ଟର ତିଲକ ତନ୍ୱାରଙ୍କ ରଚିତ ‘୧୦୦ ଇନ୍ସ୍ପାୟାରିଂ ଇଣ୍ଡିଆନ୍ସ’ ପୁସ୍ତକଟି ନୂଆଦିଲ୍ଲୀରେ ଗୋଲ୍ଡେନ୍ ସ୍ପାରୋଜ୍ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ କ୍ରୀଡ଼ାବିଦ୍ ଅଞ୍ଜୁ ବବି ଜର୍ଜ ଓ ପୁସ୍ତକର ଲେଖକ ଡକ୍ଟର ତନ୍ୱାର ଡକ୍ଟର ଖଟୁଆଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀମତୀ ଜର୍ଜ ତାଙ୍କ ସମ୍ମାନରେ ଏକ ବ୍ୟକ୍ତିଗତ ଡାକଟିକଟ ମଧ୍ୟ ଉନ୍ମୋଚନ କରିଥିଲେ। ପୁସ୍ତକଟିରେ ଦେଶର ୧୦୦ ଜଣ ଅସାଧାରଣ ବ୍ୟକ୍ତିତ୍ୱଙ୍କ ଜୀବନଯାତ୍ରା, ସଂଘର୍ଷ, ସଫଳତା ଓ ସମାଜ ପ୍ରତି ଅବଦାନର ଚିତ୍ର ଉପସ୍ଥାପିତ ହୋଇଛି। ଏଥିରେ ଡକ୍ଟର ଚିଦାତ୍ମିକା ଖଟୁଆଙ୍କ ତିନି ଦଶନ୍ଧିର ସାମାଜିକ ସାଧନା ବିଶେଷ ଭାବେ ସ୍ଥାନ ପାଇଛି। ଆଦିବାସୀ ମହିଳାଙ୍କ ମର୍ଯ୍ୟାଦା, ପରିଚୟ ଓ ସୁଯୋଗର ପୁନଃସ୍ଥାପନ ପାଇଁ ଡକ୍ଟର ଖଟୁଆଙ୍କ ଅବିରତ ପ୍ରୟାସ ତାଙ୍କୁ ଏକ ପ୍ରଭାବଶାଳୀ ସାମାଜିକ ସ୍ୱର ଭାବେ ପରିଚିତ କରିଛି। ଆଦିବାସୀ ମହିଳାଙ୍କ ପ୍ରତିଭା ଓ ସାଂସ୍କୃତିକ ସମୃଦ୍ଧିକୁ ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟରେ ସେ ଭାରତର ପ୍ରଥମ ଟ୍ରାଇବାଲ୍ କୁଇନ୍ ପ୍ରତିଯୋଗିତା ‘ଆଦି ରାଣୀ’ର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ। ଏହି ପଦକ୍ଷେପ ଆଦିବାସୀ ମହିଳାଙ୍କ ଆତ୍ମବିଶ୍ୱାସ, ସାମର୍ଥ୍ୟ ଓ ସାମାଜିକ ପରିଚୟକୁ ଏକ ନୂତନ ମଞ୍ଚ ପ୍ରଦାନ କରିଛି।
ତାଙ୍କ ଉଦ୍ୟମରେ ୨,୦୦୦ରୁ ଅଧିକ ଆଦିବାସୀ ମହିଳା ପରିଚୟ ଗଠନ, ସାଂସ୍କୃତିକ ମଞ୍ଚ, ପ୍ରଦର୍ଶନୀ, ନେତୃତ୍ୱ କାର୍ଯ୍ୟକ୍ରମ ଓ ଜୀବିକା ସୁଯୋଗ ମାଧ୍ୟମରେ ଉପକୃତ ହୋଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଆଦିବାସୀ ସମୁଦାୟ ୧୫ଟି ପ୍ରଦର୍ଶନୀରେ ୬୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରି ଆର୍ଥିକ ସଶକ୍ତୀକରଣ ଓ ସାମାଜିକ ସ୍ୱୀକୃତିର ସୁଯୋଗ ପାଇଛନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ୫,୦୦୦ରୁ ଅଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

୧୯୯୬ ମସିହାରୁ ଡକ୍ଟର ଖଟୁଆଙ୍କ ମାନବସେବା ସ୍ୱାସ୍ଥ୍ୟସେବା, ଶିଶୁ କଲ୍ୟାଣ, ଦକ୍ଷତା ବିକାଶ ଓ କ୍ଷୁଧା ନିବାରଣ କ୍ଷେତ୍ରରେ ଜାରି ରହିଛି। ସୋ ଆମ୍ ଆଇ ଫାଉଣ୍ଡେସନ୍ର ସହଯୋଗରେ ଭୁବନେଶ୍ୱରସ୍ଥିତ ଏମ୍ସରେ ପ୍ରତିଦିନ ପ୍ରାୟ ୬୦୦ ଅସହାୟ ଲୋକଙ୍କୁ ମାଗଣା ଭୋଜନ ଯୋଗାଇ ଦିଆଯାଉଛି। ଖାଦ୍ୟ ସହାୟତା, ଶୁଖିଲା ରାସନ ବଣ୍ଟନ ଓ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ମାଧ୍ୟମରେ ୫୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିଥିବା ତାଙ୍କ ସେବାକାର୍ଯ୍ୟ ପୁସ୍ତକରେ ଉଲ୍ଲେଖ ରହିଛି। ଏହା ବ୍ୟତୀତ, ଲଣ୍ଡନରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ ସହ ସମ୍ପୃକ୍ତ ଏକ ସ୍ୱୀକୃତି କାର୍ଯ୍ୟକ୍ରମରେ ବିଶ୍ୱର ୨୩ ଜଣ ସକାରାତ୍ମକ ପରିବର୍ତ୍ତନକାରୀଙ୍କ ମଧ୍ୟରୁ ଜଣେ ଭାବେ ତାଙ୍କ ନାମ ସ୍ୱୀକୃତ ହୋଇଥିବା ସୂଚନା ମିଳିଛି। ସାମାଜିକ ସଶକ୍ତୀକରଣ ଓ ମାନବସେବା କ୍ଷେତ୍ରରେ ତାଙ୍କ ଦୀର୍ଘକାଳୀନ ଅବଦାନ ଏହି ଜାତୀୟ ସମ୍ମାନରେ ପ୍ରତିଫଳିତ ହୋଇଛି।





