ଦେବୀ ସ୍ବରୂପିଣୀ ନାରୀ ତ ଅଟଇ
ଦୁନିଆରେ ସର୍ବଶ୍ରେଷ୍ଠ
ସବୁକିଛି ସତେ ତା ପାଇଁ ସମ୍ଭବ
ଜଗତେ ସିଏ ବଳିଷ୍ଠ ।
ନିଜ ଜୀବନକୁ ଉତ୍ସର୍ଗୀ କରେ
ଜନହିତ ସେବା ପାଇଁ
ତ୍ୟାଗର ସଂଗୀତ ଗାଏ ଅପ୍ରମିତ
ଖୁସିର ମହକ ଦେଇ ।
ନାରୀ ଛୁଇପାରେ ଆକାଶ ଶିଖର
ଗଢେ ଯେ ସୁନା ସଂସାର
ଆଲୋକର ଦୀପ ଜଲାଏ ସର୍ବଦା
ନାଶି ସବୁ ଅନ୍ଧକାର ।
ନାରୀ କରିଥାଏ ସୁରକ୍ଷାର ଯୁଦ୍ଧ
ନିଜ ଜୀବନକୁ ଜାଳେ
ଜଗତ କଲ୍ୟାଣ କରିବା ପାଇଁ ତ
ସବୁବେଳେ ସିଏ ଭାଳେ ।
ନିଜେ ଦୁଃଖେ ଥାଇ ଅନ୍ୟକୁ ହସାଏ
ପାଇ ତ କଷ୍ଟ ଯନ୍ତ୍ରଣା
ସହିଷ୍ଣୁତା ସିଏ ପ୍ରେମ ପ୍ରଦାୟିନୀ
ଢାଳେ ଶାନ୍ତିର କରୁଣା ।
ନିଜେ ନ ଖାଇ ସେ ଅନ୍ୟ କୁ ଖୁଆଏ
ସେବା କରେ ସଭିଙ୍କର
ମମତା ଡୋରି ରେ ସମସ୍ତଙ୍କୁ ବାନ୍ଧି
କରିଥାଏ ଆପଣାର ।
ଯେତେ ଝଡଝଞ୍ଜା ଆସିଲେ ଜୀବନେ
ମୁଣ୍ଡ ପୋତି ନିଏ ସହି
ସବୁବେଳେ ନିଜ କାମେ ମନ ଦେଇ
ଦୁଃଖେ ସୁଖେ ହସୁ ଥାଇ ।
ନିଜ ଜୀବନକୁ ଖାତିର ନକରି
ପର ଚିନ୍ତା କରେ ସଦା
ତଥାପି ମଣିଷ କରୁଛି ତାହାକୁ
ଅପମାନ ଆଉ ନିନ୍ଦା ।
ତା ସମାନ କେହି ଦୁନିଆରେ ନାହିଁ
ଅଟେ ଜନମ ଦାୟିନୀ
ହସେ ଯେ ତା ପାଇଁ ସାରା ସଂସାରଟା
ତା ଗୁଣ ନାମ ବଖାଣି ।
ଋଣି ଯେ ସମସ୍ତେ ତା ପାଦପଦ୍ମରେ
ଜଗତେ ସିଏ ମହାନ
ତା ପାଖରେ ସତେ ସଭିଙ୍କର ମନ
ହୋଇଥାଏ ସଦା ଲୀନ ।