କଳାହାଣ୍ଡି,୧୭/୬: ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭେଟି କେସିଙ୍ଗା ସ୍ଥିତ କୋଣାର୍କ ସୂତାକଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
କଳାହାଣ୍ଡିର କେସିଙ୍ଗାଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ୧୯୯୦ରେ ସ୍ଥାପିତ କୋଣାର୍କ ସୂତାକଳ ଅବିଭକ୍ତ କଳାହାଣ୍ଡିର ଚାଷୀଙ୍କ ମେରୁଦଣ୍ଡ ସୁଦୃଢ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା କିନ୍ତୁ କୌଣସି କାରଣରୁ ଏହି ପ୍ରକଳ୍ପକୁ ଅଧାପନ୍ତରିଆ କରି ରଖିଦିଆଗଲା। ୧୫କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି କଳ ୧୯୯୩ ସୁଦ୍ଧା ବିଲଣ୍ଡିଙ୍ଗ ଏବଂ ଏକ ଲକ୍ଷ ବର୍ଗ ଫୁଟର ମେସିନ ଗୃହ କାର୍ଯ୍ୟ ହୋଇଥିଲା। ସେହିଦିନ ଠାରୁ ୫୦ଏକର ଜମି ମଧ୍ୟରେ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ମିଲ ପଡିରହିଛି। କଳାହାଣ୍ଡିର କପା ଉତ୍ପାଦନ ବର୍ତ୍ତମାନ ପାଞ୍ଚରୁ ସାତ ଲକ୍ଷ କ୍ୟୁଣ୍ଟାଲରେ ପହଞ୍ଚିଲାଣି।ଯାହାକି ଅଞ୍ଚଳରେ ଦୁଇଟି ସୂତାକଳ ଚଳାଇ ପାରିବା ପାଇଁ ବି ଯଥେଷ୍ଟ।ଏପରି ସ୍ଥଳେ କେସିଙ୍ଗା ସ୍ଥିତ ସୂତାକଳକୁ ପୁନର୍ବାର ଆରମ୍ଭ କରିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ସାଇନିଙ୍ଗ କଳାହାଣ୍ଡି।
ଉକ୍ତ ପତ୍ରରେ ସୂତାକଳର ପୁନରୁଦ୍ଧାର ପାଇଁ ଏମ.ଏସ.ଏମ.ଇ. ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ସହ ଫେକ୍ସ ଫାଇଣ୍ଡିଙ୍ଗ ରିପୋର୍ଟ ଉପସ୍ଥାପନ, ସୂତାକଳର ପୁନଃପ୍ରତିଷ୍ଠା ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦରେ ୫୦୦୦ରୋଜଗାର ସୃଷ୍ଟି ଏବଂ କେସିଙ୍ଗା ଓ ଭବାନୀପାଟଣାଠାରେ ଟେକ୍ସଟାଇଲ ଓ କଟନ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି।
ଏହିପରି ଓପିଟିସିଏଲ ଦ୍ଵାରା ତିଆରି କରାଯାଇଥିବା ୨୨୦ କେଭି ଗ୍ରୀଡ଼ ଓ ବନ୍ଦ ପଡିଥିବା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରି ମାନଙ୍କୁ କାର୍ଯ୍ୟକ୍ଷମ କରିବା ସହ ୯୫% ବି.ଟି କଟନକୁ ରାଜ୍ୟ ମାନ୍ୟତା, ଜୁନାଗଡ଼ଠାରେ ଏକ ଏମଏସଏମଇ ପାର୍କ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି କରାଯାଇଛି।
ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ସଚିନ ଜୈନ, ନୀଳ ସିଂଦେଓ, ପ୍ରଦୀପ ଦାସ, ସମିତା ନାୟକ, ସୁଶୀଲ ବାଗ, ଶାନ୍ତି ସ୍ୱରୂପ ପଣ୍ଡା, ଧବଳେଶ୍ବର ମାଝୀ, ସ୍ନେହା ଶୁକ୍ଲା ପ୍ରମୁଖ ଶକ୍ତି, ଗୃହ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଚିଠିଟି ପ୍ରେରଣ କରଛନ୍ତି। ସାଇନିଂ କଳାହାଣ୍ଡିର ଏହି ପ୍ରସ୍ତାବକୁ କଳାହାଣ୍ଡିର ସାଧାରଣ ମହଲରେ ବେଶ ପ୍ରଶଂସା କରାଯାଉଛି।