ନଷ୍ଟ ହେଉଛି ଏକର ଏକର କପା, ମକା ଓ ଧାନ ଫସଳ
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ଆଜିକୁ କିଛି ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତି ମୁହାଁ ହୋଇଥିବା ଜଣାପଡିଛି। ଶୁକ୍ରବାର ରାତିରେ ପୋଖରିବନ୍ଧ ପଞ୍ଚାୟତ ପୋଡାଉମେର ଗାଁ ନିକଟସ୍ଥ ଟୁକଗୁଡାଙ୍ଗ ଜଙ୍ଗଲରୁ ୧୦ରୁ ଉର୍ଦ୍ଧ୍ବ ହାତୀପଲ ରାତ୍ରି ୧୧ ଘଣ୍ଟା ସମୟରେ ଆସି ପହଞ୍ଚିଥିଲେ। ସେହି ସମୟରେ ଚାଷୀ ରସିକ ହରପାଲ ମକା ବାଡ଼ିର ମଞ୍ଚାରେ ଶୋଇଥିବା ସମୟରେ ହାତୀପଲ ଭୀଷଣ ଗର୍ଜ୍ଜନ କରିଥିଲେ। ଜୀବନ ବିକଳରେ ରସିକ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ।
ରସିକଙ୍କ ପ୍ରାୟ ୧ ଏକର କପା ଓ ମକା ବାଡକୁ ମାଡିଛକଟି ଦେଇଥିବା ବେଳେ ମୁନି କରୁଆଙ୍କ ମଧ୍ୟ ୭୦ ଡିସମିଲରୁ ଉର୍ଦ୍ଧ୍ବ କପା ଓ ମକା ଚାଷକୁ ନଷ୍ଟ କରିଛନ୍ତି। ସେହିପରି ପୁସ୍ତକ ହରପାଲ ୧ ଏକର ଧାନ ଫସଲକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଏହାସହ ଅନ୍ୟାନ୍ୟ ଚାଷୀଙ୍କ ଫସଳ ନଷ୍ଟ ହୋଇଥିବା ଜଣା ପଡ଼ିଛି। ଏହି ହାତୀପଲ ପ୍ରାୟ ୪ ଦିନ ହେଲା ନିକଟସ୍ଥ ଟୁକଗୁଡାଙ୍କ ଜଙ୍ଗଲରେ ରହି ରାତିରେ ଆସି ଫସଲ ନଷ୍ଟ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ବନ ବିଭାଗ ଖବର ପାଇ ହାତୀପଲ ଫସଲ ନଷ୍ଟ କରିଥିବା ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in