ଫାଙ୍କିବା ପାଇଁ ଚେଷ୍ଟା କରି ପଦାରେ ପଡ଼ିଲେ ସମ୍ପାଦକ
ମୋହନା,(ଏସ୍. ତ୍ରିପାଠୀ): ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥା ଲାଗିରହିଛି। ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ୧୯୯୨ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ତେବେ ଏଥିରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ପ୍ରାୟ ଦୁଇ ବର୍ଷର ପାଉଣା ନ ଦେଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ଅନ୍ୟାୟ ଭାବେ କାର୍ଯ୍ୟରୁ ବହିଷ୍କୃତ କରିଥିବାନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଉକ୍ତ କର୍ମଚାରୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ସଂପାଦକଙ୍କୁ ଦୁଇଟି ଚିଠି କରିଥିଲେ। ଏହା ସତ୍ତ୍ଵେ ସଂପାଦକ ଶ୍ରୀ ସାହୁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନଥିଲେ । ଯାହାଫଳରେ ଶ୍ରମ ଅଧିକାରୀ ବାଧ୍ଯ ହୋଇ ସଂପାଦକଙ୍କୁ ତୃତୀୟ ଚିଠି ପ୍ରେରଣ କରିଥିଲେ। ଚିଠି ଅନୁସାରେ ୧୯ /୦୪/୨୦୨୧ ଦିବା ୧୧ ଘଣ୍ଟ ସମୟରେ ସଂପାଦକ ଓ ବହିଷ୍କୃତ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ଅଧିକାରୀ ଶ୍ରୀ ମଣ୍ଡଳ ଉଭୟ ପକ୍ଷଙ୍କୁ ତଦନ୍ତଭୁକ୍ତ କରି ଜାଣିବାକୁ ପାଇଥିଲେ ଦୀର୍ଘ ମାସ ଧରି କର୍ମଚାରୀମାନେ ବକେୟା ପାଉଣା ପାଇ ନ ଥିବା ଅଭିଯୋଗ ସତ୍ୟ ଅଟେ। ସମ୍ପାଦକ ସାଥିରେ ଆଣିଥିବା ଉପସ୍ଥାନ ଓ ଆକ୍ୟୁଟେନସ୍ ଖାତାକୁ ଶ୍ରମ ଅଧିକାରୀ ଯାଞ୍ଚ କରି ସେଥିରେ କର୍ମଚାରୀଙ୍କ ନକଲି ଦସ୍ତଖତ କରାଯାଇଥିବାର ପ୍ରମାଣ ପାଇଥିଲେ। ଯାହାଫଳରେ ଘଟଣାର ସତ୍ୟତା ପ୍ରକାଶିତ ହୋଇଥିବାରୁ ସମ୍ପାଦକ ସାହୁ ଲଜ୍ଜିତ ଅନୁଭବ କରି ଦେହ ଅସୁସ୍ଥ ହୋଇଥିବାର ବାହାନା ଦେଖାଇ କାର୍ଯ୍ୟାଳୟରୁ ଉଠି ଚାଲିଯାଇଥିଲେ। ଏଭଳି ପରିସ୍ଥିତିରେ ସମସ୍ୟା ସମାଧାନର ରାସ୍ତା ବାହାରିପାରି ନଥିବାରୁ କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉକ୍ତ ଅନୁଷ୍ଠାନରେ ଶ୍ରୀ ସାହୁ ଲଗାତାର ୧୭ ବର୍ଷ ସମ୍ପାଦକ ରହି ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହେଉଅଛି। ତାଙ୍କୁ ସୁହାଇବା ଭଲି ନିଜେ ନିଜେ କମିଟି ଚୟନ କରିବା ସହ ମିଥ୍ୟା ଦସ୍ତଖତ କରି କମିଟି ଅଧିବେଶନ କରୁଥିବା ଖୋଦ ସତ୍ୟବାନ ପାଟ୍ଟଖଣ୍ଡାଲ କହିଛନ୍ତି। ସେ ନିଜେ କମିଟିରେ ରହିଥିବା ଓ କୌଣସି ଦସ୍ତଖତ କରିଥିବା ସେ ଜାଣନ୍ତି ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ଅନେକ କର୍ମଚାରୀଙ୍କ ଠାରୁ ଡୋନେସନ ନାମରେ ହଜାର ହଜାର ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହେଉଛି। ନିଜ ଦୋକାନରୁ ହଷ୍ଟେଲ ପାଇଁ ନିମ୍ନ ମାନର ରେସନ ଯୋଗାଇ ଫାଇଦା ନେଉଥିବାର ଅଭିଯୋଗ ହେଉଛି। ଶ୍ରମ ଅଧିକାରୀଙ୍କୁ ଏହା ଅବଗତ କରିବା ପରେ ଏହି ସମସ୍ୟାର ସମାଧାନ ପାଇଁ ଶ୍ରମ ଅଦାଲତର ଆଶ୍ରୟ ନେବାପାଇଁ କହିଥିଲେ। ଏହାକୁ ଶ୍ରମ ଅଧିକାରୀ ସମ୍ମତି ଜଣାଇଁଥିଲେ। ଏ ସବୁକୁ ଦୁର୍ନୀତି ବିଭାଗ ତଦନ୍ତ କଲେ ପଦାକୁ ଆସିବ ଏବଂ କାହାର ବାହୁ ଛାୟା ତଳେ ରହି ସେ ଏପରି କରୁଛନ୍ତି ତାହା ଜଣାପଡିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।