ଦ୍ଵାପର ଯୁଗର କଥା। ଜମ୍ବୁଦ୍ବିପରେ କୁଳାବଳି ପାଟଣା ନାମକ ଏକ ସମୃଦ୍ଧଶାଳି ଦେଶ ଥିଲା। ସେଠାରେ ଗୋସିଂହ ଦୈତ୍ୟ ନାମକ ଜଣେ ରାଜା ଶାସନ କରୁଥିଲେ। ତାଙ୍କର ମସ୍ତକ ଗୋମୁଣ୍ଡ ହୋଇଥିବାବେଳେ ମନୁଷ୍ୟର ଶରୀର ଥିଲା। ସେ ମହାଶକ୍ତିଶାଳି ଥିଲେ ଓ ତାଙ୍କ ପାଖରେ ହଜାରେ ହାତୀର ବଳ ଥିଲା। ତାଙ୍କର ରାଜଧାନୀର ନାମ ଜେନାବଳୀ ନଗ୍ର। ସେହି ନଗରୀର ଗୃହସବୁ ସୁବର୍ଣ୍ଣରେ ମଣ୍ଡିତ ହୋଇଥିଲେ। ଧନ ଧାନ୍ୟରେ ରାଜ୍ୟ ପୁରି ଉଠିଥିଲା। ଗୋସିଂହ ଦୈତ୍ୟ ଥିଲେ ଅସୁର ରାଜ ମହିଷାସୁରଙ୍କ ପଣନାତି। ରାଜଧାନୀ ଜେନାବଳୀ ନଗ୍ରର ରାଜ ଉଆସ ଭିତରେ ଏକ ଗୁପ୍ତ ସୁଡ଼ଙ୍ଗ ଥିଲା। ଏହି ସୁଡ଼ଙ୍ଗରେ ସେ ପ୍ରତିଦିନ ନିଜ ରାଣୀଙ୍କ ସହ କନକଗିରିକୁ ଯାଇ ମହାଦେବଙ୍କୁ ଉପାସନା କରୁଥିଲେ। ଶିବ ଦର୍ଶନ ବିନା ଗୋସିଙ୍ଗ ଦୈତ୍ୟ ଜଳ ମଧ୍ୟ ସ୍ପର୍ଶ କରୁନଥିଲେ। ଗୋସିଂହ ଦୈତ୍ୟର ଭକ୍ତିର ପ୍ରିତ ହୋଇ ମହାଦେବ ତାଙ୍କୁ ଅଜୟ ହେବାପାଇଁ ବର ପ୍ରଦାନ କରିଥିଲେ। ଏହି ଦୈତ୍ୟର ପ୍ରକୋପରେ ମହି ଥରହର ହେବାକୁ ଲାଗିଲା। ଦେବତାମାନେ ତ୍ରାହି ତ୍ରାହି ଡାକିବାରେ ଲାଗିଲେ।
ଏହି ସମୟରେ ରୈବତ ପର୍ବତରେ କୃଷ୍ଣ ବଳରାମ ଏକ ଯଜ୍ଞର ଆୟୋଜନ କଲେ। ଏଥିପାଇଁ ଚାରି ଦିଗକୁ ଯଦୁବଂଶୀମାନେ ଯାଇ ରାଜାମାନଙ୍କୁ ନିମନ୍ତ୍ରଣ କରି ଆଣିଲେ। ସେମାନଙ୍କ ଭିତରୁ ସାତ୍ୟକି ଦାନବ କିମ୍ବା ମାନବ ରାଜ୍ୟ ବୋଲି ଜାଣିନପାରି ଜେନାବଳୀ ନଗ୍ରରେ ପ୍ରବେଶ କଲେ। ନଗରର ଶୋଭା ଦେଖି ସେ ଆଚମ୍ବିତ ହୋଇଗଲେ। ଯେତେବେଳେ ଅସୁର ରାଜ୍ୟରେ ପ୍ରବେଶ କରି ସାରିଲେଣି ତ ସେତେବେଳେ ରାଜାଙ୍କୁ ନିମନ୍ତ୍ରଣ ନକରି ବାଟ ନାହିଁ। ସାତ୍ବକି ଯଜ୍ଞକୁ ଯିବା ନିମନ୍ତେ ଗୋସିଂହ ଦୈତ୍ୟକୁ ନିମନ୍ତ୍ରଣ କଲେ। ହଜାର ହଜାର ଅସୁର ସୈନ୍ୟ ରେରେକାର କରି ରୈବତ ପର୍ବତକୁ ଯିବାକୁ ବାହାରିଲେ। ଯଜ୍ଞ ସ୍ଥଳୀରେ ପହଞ୍ଚି ସେମାନେ ଉପଦ୍ରବ ଆରମ୍ଭ କରିଦେଲେ। ନାରାୟଣୀ ସେନା ଅସୁର ସେନାଙ୍କ ଗତିରୋଧ କରିପାରିଲେ ନାହିଁ। ଗୋସିଂହ ଦୈତ୍ୟ କୃଷ୍ଣ ବଳରାମଙ୍କୁ ଯଜ୍ଞ କୁଣ୍ଡରେ ନିକ୍ଷେପ କରି ସତ୍ୟଭାମାଙ୍କୁ ଅପହରଣ କରି ନିଜ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଯଦୁବଂଶୀ ମାନଙ୍କ ମଧ୍ୟରେ ଭାଳେଣୀ ପଡିଲା। ସହଦେବ କହିଲେ – ଗୋସିଂହ ମନ ଯାନରେ ଗତି କରୁଛି ଓ ନିଜ ରାଜ୍ୟର ସୀମା ନିକଟରେ ପହଞ୍ଚି ସାରିଛି। ସେ ଯଦି କନକଗିରିରେ ପହଞ୍ଚି ଯିବ ତେବେ ତା’ର ଶରୀରରକୁ କୈାଣସି ଅସ୍ତ୍ର ଆଉ ଭେଦି ପାରିବନାହିଁ। ସେହି ସମୟରେ ଅର୍ଜୁନ ବନବାସରେ ଥିଲେ। ଅର୍ଜୁନ ମନଭେଦୀ ଶର ପ୍ରୟୋଗ କରି ଗୋସିଂହର ପଥରୋଧ କଲେ। ପରେ ଦୈତ୍ୟ ସହ ଯୁଦ୍ଧ କରି ତାକୁ ହତ୍ୟା କଲେ। ଏହି ଯୁଦ୍ଧରେ ମନ୍ତ୍ରୀ ଜପାସୁରଙ୍କ ମଧ୍ୟ ମୃତ୍ୟୁ ହେଲା।ଏହାପରେ ପାଣ୍ଡବ ଅର୍ଜୁନଙ୍କ ସହ ଗୋସଂହଙ୍କ ସେନାପତି ଗଖାସୁର ପ୍ରବଳ ସଂଗ୍ରାମ କଲେ। ଅର୍ଜୁନଙ୍କୁ ପରାସ୍ତ କରି ଗଖାସୁର ଗେଣ୍ଡୁଲ ଗଛରେ ବାନ୍ଧି ଦେଇଥିଲେ। ପରେ ମହାଦେବଙ୍କ ହସ୍ତକ୍ଷେପ ପରେ ଅର୍ଜୁନଙ୍କୁ ବନ୍ଧନମୁକ୍ତ କଲେ ଗଖାସୁର। ଗଖାସୁରଙ୍କ ବୀରତ୍ୱ ଦେଖି ତାଙ୍କୁ ଜେନାବଳୀ ନଗ୍ରର ରାଜା ଭାବେ ଘୋଷଣା କଲେ ପାଣ୍ଡବ ଅର୍ଜୁନ। ଅର୍ଜୁନଙ୍କୁ ଗଖାସୁର ବାନ୍ଧିଥିବା ଗେଣ୍ଡୁଲ ଗଛ ଆଜି ମଧ୍ୟ ଦେବଗିରିରେ ରହିଛି, କିମ୍ବଦନ୍ତୀର ମୁକସାକ୍ଷୀ ହୋଇ। ଏହି ଗେଣ୍ଡୁଲ ଗଛର ରଙ୍ଗ ଧଳା, ଯାହା ବିଶ୍ବରେ ବିରଳ। ତେବେ ଅର୍ଜୁନ ଦୈତ୍ୟ ରାଜ୍ୟରୁ ସତ୍ୟଭାମାଙ୍କୁ ଉଦ୍ଧାରକରି ନେଇ କୃଷ୍ଣଙ୍କୁ ସମର୍ପଣ କଲେ।
ସାରଳା ମହାଭାରତରେ ଗୋସିଂହ ଦୈତ୍ୟ ବଧ ଆଖ୍ୟାନ ରହିଛି। ଏହାସହ ଗୋସିଂହ ଦୈତ୍ୟଙ୍କୁ ନେଇ ଅନେକ କିମ୍ବଦନ୍ତୀ ଓ ଲୋକକଥା ପ୍ରଚଳିତ ହୋଇଛି। ଲୋକକଥା ଅନୁସାରେ ଗୋସିଂହ ଦୈତ୍ୟ ନାଗ ଗୋତ୍ରୀୟ ବେସ୍କା କନ୍ଧ ଥିବାବେଳେ ମନ୍ତ୍ରୀ ଜପାସୁର ବାଗ ବଂଶୀୟ ଡମ୍ବ ଓ ସେନାପତି ଗଖାସୁର କରୁଆଁ ବଂଶୀୟ ଗଉଡ ଥିଲେ। ଐତିହାସିକ ଅନୁଶିଳନ ପରିପ୍ରେକ୍ଷୀରେ କିମ୍ବଦନ୍ତୀ ଓ ଲୋକ କାହାଣୀକୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରାଯାଇ ପାରିବନାହିଁ। ଲୋକ ବିଶ୍ବାସ ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ଦୂର୍ଗ ଗୋସିଂହ ଦୈତ୍ୟର ରାଜଧାନୀ ଥିଲା ଓ ଏହାର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଦେବଗିରିର ଗୁମ୍ଫା ମଧ୍ୟରେ ସେ ଶିବ ଉପାସନା କରୁଥିଲେ। ବୁଢିପଦର ଗ୍ରାମ ସ୍ଥିତ ଦେବଗିରିର ପ୍ରାଚୀନ ନାମ କନକଗିରି ବା କନକ ପର୍ବତ। ଏହି ପର୍ବତର ବର୍ଣ୍ଣନା ସାରଳା ମହାଭାରତ ସମେତ ସଂସ୍କୃତ ମହାଭାରତର ଭିଷ୍ମ ପର୍ବରେ ରହିଛି। କଳାହାଣ୍ଡିର ପ୍ରାଚୀନ ନାମ ଜେନାବଳୀନଗ୍ର ଯାହାର ରାଜଧାନୀ ଅସୁରଗଡ ଥିଲା। ଅସୁରଗଡ ଭାରତର ପ୍ରତ୍ନତତ୍ତ୍ଵ ମାନଚିତ୍ରରେ ସ୍ଥାନୀତ ହୋଇଛି। ଏହାର ସମୟସୀମା ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୫ମ ଶତାବ୍ଦୀ ବୋଲି ଐତିହାସିକମାନେ ମତ ପ୍ରକାଶ କରିଛନ୍ତି। ସେହିପରି ବୁଢ଼ୀପଦର ଠାରେ ଥିବା ଦେବଗିରି ସଭ୍ୟତାର ସମୟସୀମା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟିୟ ତୃତୀୟ ଶତାବ୍ଦୀ ମଧ୍ୟରେ ଆକଳନ କରାଯାଇଛି। କାଳର କରାଳ ଗ୍ରାସରେ ଦେବଗିରି ସଭ୍ୟତା ନିଶ୍ଚିହ୍ନ ହେବାପରେ କଳାହାଣ୍ଡିର ନାଗବଂଶୀ ରାଜାମାନଙ୍କ ଦ୍ୱାରା ୧୮୦୦ ମସିହାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ଦେବଗିରି ମଠ ଓ ମନ୍ଦିର ପ୍ରତିଷ୍ଠା ହୋଇ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ସ୍ଥଳୀରେ ପରିଣତ ହୋଇଥିଲା। ଦେବଗିରି ମଠର ଗୁମ୍ଫା ମଧ୍ୟରେ ଗୋସିଂହ ଦୈତ୍ୟ ଶିବଙ୍କୁ ଉପାସନା କରୁଥିବା ସ୍ଥାନ ଆଜି ମଧ୍ୟ ଅକ୍ଷତ ଅବସ୍ଥାରେ ରହିଛି।





