ଶହ ଶହ ହେକ୍ଟର ଗୋଚର ଜମି ପ୍ରଭାବଶାଳୀଙ୍କ କବ୍‌ଜାରେ

● ରାଜସ୍ୱମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ

● ଲକଡାଉନ ପରେ ଆନ୍ଦୋଳନ ଚେତାବନୀ

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଗାଁରେ ଥିବା ଗୋଚର ଜମି ଏବେ ପ୍ରଭାବଶାଳୀଙ୍କ କବ୍‌ଜାରେ। ଗାଈଗୋରୁ ଚରିବା ପାଇଁ ଥିବା ଏଇ ଗୋଚର ଭୂମି ଜବରଦଖଲକାରୀଙ୍କ ଦ୍ୱାରା ଚାଷଜମିରେ ପରିଣତ ହୋଇଥିବା ବେଳେ ଆଉ କେଉଁଠି କୋଠାଘର ତିଆରି ହୋଇଛି। ଜଣେ ଭୂମିହୀନ ବ୍ୟକ୍ତି ଯଦି ଦୁଇଚାରି ଡେସିମଲ ଗୋଚର ଜମିରେ ଘର ତିଆରି କରିବା ପାଇଁ ଦଖଲ କରେ ତେବେ ତାହାକୁ ନେଇ କେତେ ତୁମ୍ବିତୋଫାନ ହୋଇଯାଏ, ହେଲେ ବଡବଡିଆ ଲୋକ ନିଜ ଗାଁରେ ଏକାଧିକ ହେକ୍ଟର ଗୋଚର ଜମିକୁ ଚାଷଜମିରେ ପରିଣତ କରେ ତେବେ ସେତେବେଳେ ଦେଖାଦିଏ ଏକଦମ ନୀରବତା। ନା ସ୍ଥାନୀୟ ରାଜସ୍ୱ ବିଭାଗ ଦୃଷ୍ଟି ଦିଏ ନା ପଂଚାୟତ ପ୍ରଶାସନ। ଏଇ ବ୍ଳକର ୬୦ରୁ ଅଧିକ ଗ୍ରାମରେ ଥିବା ଶହ ଶହ ହେକ୍ଟର ଗୋଚର ଜମିର ସିଂହଭାଗ ଜବରଦଖଲରେ ରହିଛି। ରାଜସ୍ୱ ବିଭାଗରୁ ଏନକ୍ରୋଜମେଂଟ ଟିଏ ପୈଠ କରି ପୈତୃକ ସଂପତି ଭଳି ଦଖଲ କରିଚାଲିଛନ୍ତି ଏଇ ଦଖଲକାରୀ ମାନେ। ଯୋରାଡୋବରା ପଂଚାୟତର ସିଲେଟପଡାର ସ୍ୱୟଂ ସହାୟୀକା ଗୋଷ୍ଠୀ ଇତି ମଧ୍ୟରେ ତାଙ୍କ ଗ୍ରାମରେ ଥିବା ଗୋଚରଜମି ସବୁ ଦଖଳକାରୀଙ୍କ ଠାରୁ ମୁକ୍ତ କରିବା ପାଇଁ ରାଜସ୍ୱମନ୍ତ୍ରୀ, ଜିଲ୍ଲାପାଳ, ତହସିଲଦାର, ଉପଜିଲ୍ଲାପାଳଙ୍କୁ ଡାକ ମାଧ୍ୟମରେ ଅଭିଯୋଗ ପତ୍ର ପଠାଇଛନ୍ତି। ଯଦି ଏହାର ପଦକ୍ଷେପ ନିଆ ନଯାଏ ତେବେ ଲକଡାଉନ ଉଠିବା ପରେ ତହସିଲ ଅଫିସ ଘେରାଉ କରାଯିବ ବୋଲି ଏଇ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟା ମାନେ ଚେତାବନୀ ଦେଇଛନ୍ତି। ସେହିପରି ରିଷିଡା, ଯୋରାଡୋବରା, କର୍ଲାମୁଣ୍ଡା, ରିଂଜା, ସରଗୁଲ ମାଲପଡା, ରେଗେଡା ଓ ଗଜବାହାଳ ପଂଚାୟତରେ ଥିବା ସମସ୍ତ ଗୋଚରଜମିର ପୁନଃରୁଦ୍ଧାର ପାଇଁ ଦାବି କରିଛି ଗୋଚର ସୁରକ୍ଷା ସମିତି। ବର୍ତମାନ ଗାଈଗୋରୁ ଚରିବା ପାଇଁ ଜାଗା ନଥିବାରୁ ଲୋକେ ଆଉ ଗାଈଗୋରୁ ନରଖି ବିକ୍ରି କରିଦେଉଛନ୍ତି। ଫଳରେ ଗୋସଂପଦ ଅସୁରକ୍ଷିତ ରହିବା ସହ ଗୋପାଳନରୁ ଚାଷୀ ବଂଚିତ ରହୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.