ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ଠାରେ ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ନବନିର୍ବାଚିତ ସରପଞ୍ଚ ସେବତୀ ରଣା ଓ ନାଏବ ସରପଞ୍ଚ ନରେଶ ଦାସଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପଂଚାୟତ ଭବନ ଠାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କମିଟିର ସଭାପତି ପ୍ରେମାନନ୍ଦ ପାତ୍ର ସଭାପତିତ୍ୱ କରି ଗ୍ରାମ କମିଟିର କାର୍ଯ୍ୟାବଳୀ, ଉଦେଶ୍ୟ ଓ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ କମିଟିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସରପଞ୍ଚ ଶ୍ରୀମତୀ ରଣାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଭାପତି ଶ୍ରୀ ପାତ୍ର । ସରପଞ୍ଚ ତାଙ୍କ ବକ୍ତବ୍ୟରେ ଗ୍ରାମର ସାମୁହିକ ବିକାଶ ଓ ଆଦର୍ଶ ପଂଚାୟତ ଗଠନରେ କମିଟିର ସହଯୋଗ କାମନା କରିଥିଲେ । ଯୁବାମଞ୍ଚ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ରଣା, ରୋହିତ ରଣା, ନଥୁରାମ ରଣା, ପ୍ରମୋଦ ସାହୁ, ନନ୍ଦକିଶୋର ରଣା, ଶତ୍ରୁଘନ ରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।