କେସିଙ୍ଗାରେ ଗ୍ରୀଷ୍ମର ପ୍ରଭାବ: ରାଜରାସ୍ତା ଶୁନଶାନ୍, ଗରମକୁ ନେଇ ଜମୁଛି ଆଖୁ ରସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଚଳିତ ବର୍ଷ ଏପ୍ରିଲ ମାସରୁ ଖରାର ପ୍ରକୋପ ବୃଦ୍ଧି ପାଇଛି । ଗ୍ରୀଷ୍ମର ପ୍ରଭାବରେ ଦିନ ୧୦ ଟା ପରେ ଲୋକେ ଘରୁ ବାହାରିବା ପାଇଁ ଚାହୁଁ ନାହାନ୍ତି । ମଧ୍ୟାହ୍ନ ସମୟରେ କେସିଙ୍ଗା ସହରର ରାଜରାସ୍ତା ଶୁନଶାନ୍ ହୋଇପଡୁଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ପ୍ରବଳ ଗରମ ସାଙ୍ଗକୁ ଗୁଲଗୁଲି ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ସକାଳୁ ସକାଳୁ ପାଖାପାଖି ଗ୍ରାମାଞ୍ଚଳର ଲୋକେ କେସିଙ୍ଗାକୁ ଆସି ନିଜର କାମ ସାରିଦେଇ ଘରକୁ ଫେରୁଥିବା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଆଖୁରସ, ଲସି ଆଉ ଥଣ୍ଡାପାନୀୟ ପାଇଁ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଯେଉଁମାନେ ଭବାନୀପାଟଣା କିମ୍ବା ବଲାଙ୍ଗୀର ଯିବା ପାଇଁ କେସିଙ୍ଗା ବସ୍ ଷ୍ଟାଣ୍ଡରେ ପହଁଚି ବସ୍ କୁ ଅପେକ୍ଷା କରି ରହୁଥିବା ବେଳେ ଅସହ୍ୟ ଗରମର ଶିକାର ହେଉଥିବା ନେଇ ଅଭିଯୋଗ ହେଉଛି । ତେବେ ଗତ କିଛି ଦିନ ହେଲା ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବା ଜଣାପଡିଛି । କେସିଙ୍ଗା ସହରର ରାଜରାସ୍ତା ଶୁନଶାନ୍ ଦେଖାଯାଉଥିବା ବେଳେ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାପଡ଼ି ନାହିଁ । ନିର୍ମାଣ ଶ୍ରମିକଙ୍କୁ ଦିନ ୧୦ ଟା ରୁ ୩ ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ସତ ହେଲେ ତାହା ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହେଉଛି । ସ୍ଥାନେ ସ୍ଥାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାର ନିର୍ଦ୍ଦେଶ ରହିଛି ଏବଂ ଲୋକଙ୍କ ପାଖରେ ଯେପରି ଅଂଶୁଘାତ ମୁକାବିଲା ପାଇଁ କୈାଣସି ସମସ୍ୟା ଯେପରି ଦେଖା ନଯାଉ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରକାଶ ଯେ, ଚଳିତ ବର୍ଷ ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଆସୁଥିବା ବେଳେ ଗାଁ ମାନଙ୍କରେ ଥିବା ପୋଖରୀ ପାଣି ଶୁଖି ଗଲାଣି । ଅନ୍ୟପଟେ ନଦୀ, ନାଳରେ ମଧ୍ୟ ପାଣିର ଶ୍ରୋତ ଆଉ ଦେଖିବାକୁ ମିଳୁନାହିଁ । ଏବେ ଠାରୁ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

କେସିଙ୍ଗା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ମାନଙ୍କରେ ବସୁଧା ଯୋଜନା ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ରହିଥିଲେ ମଧ୍ୟ ସେସବୁ ସଠିକ ତଥା ନିୟମିତ ଭାବେ ପାଣି ଯୋଗାଣ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ଉପରେ । ଏହି ପ୍ରକଳ୍ପର ଇନଟେକ୍ ଓ୍ବେଲରେ ପାଣି ଅଭାବରୁ ବାଲସି ଗ୍ରାମର ଲୋକେ ଜଳ ଯୋଗାଣ ପ୍ରକଳ୍ପ ରୁ ନିୟମିତ ପାଣି ପାଇ ପାରୁ ନାହାନ୍ତି । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବା ସାଙ୍ଗକୁ ପାଣି ସମସ୍ୟାକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବାଲସି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ଶୁଣିବାକୁ ମିଳୁଛି । ଏହି ପରି ଅନ୍ୟାନ୍ୟ ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପ ରୁ ମଧ୍ୟ ଲୋକେ ଠିକ୍ ଭାବରେ ପାଣି ପାଇପାରୁ ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

କେସିଙ୍ଗା ବ୍ଲକ ର ୨୬ ଗୋଟି ପଞ୍ଚାୟତରେ ବସୁଧା ଯୋଜନାରେ ୨୯ ଗୋଟି ଜଳ ଯୋଗାଣ ପ୍ରକଳ୍ପ ଚାଲୁଥିବା ନେଇ କେସିଙ୍ଗା ବ୍ଲକ ଆର୍ ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ -୧ ଧର୍ମେନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି । ଯାହାକି ୨୯ ଗୋଟି ପ୍ରକଳ୍ପରୁ ପ୍ରାୟ ୬୦ ଗୋଟି ଗ୍ରାମର ଲୋକେ ପାଣି ସୁବିଧା ପାଉଥିବା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀ କହିଛନ୍ତି । ଅପରପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗାଁ ମାନଙ୍କରେ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇ ନାହିଁ । ଏସଂପର୍କରେ ଜିପିଇଓ ଜୟନ୍ତ କୁମାର ମୁଣ୍ଡଙ୍କ ପ୍ରତିକ୍ରିୟା ନେବାରୁ, ଜଳଛତ୍ର ଖୋଲିବା ପାଇଁ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ହୋଇଛି । ଗତବର୍ଷ ୨୬ ଗୋଟି ପଞ୍ଚାୟତର ୯୫ ଗୋଟି ସ୍ଥାନରେ ଜଳଛତ୍ର ଖୋଲାଯାଇଥିଲା । ଚଳିତ ବର୍ଷ କେତେକ ସ୍ଥାନରେ ଜଳଛତ୍ର ଆରମ୍ଭ ହୋଇଛି ହେଲେ ରିପୋର୍ଟ ଆସିନଥିବା ନେଇ ପ୍ରକାଶ କରିଛନ୍ତି ।

ସେହିପରି କେସିଙ୍ଗା ଏନ୍ଏସିର ଓ୍ବାର୍ଡ ନମ୍ବର ୧ ର ବଗାଡ ରୁଗୁଡିପଡା ଅଞ୍ଚଳରେ ମଧ୍ୟ ପାଣି ସମସ୍ୟା ଅଭିଯୋଗ ହେଉଛି । ତେବେ ଏସଂପର୍କରେ କେସିଙ୍ଗା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ଅଂଶୁଘାତ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଯଦିଓ କୈାଣସି ସମସ୍ୟା ଉପୁଜେ ତେବେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଜନସାଧାରଣଙ୍କୁ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.