ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ନର୍ଲା ଠାରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ଗତ ମାର୍ଚ୍ଚ ୨୫ରୁ ଅପ୍ରେଲ ୪ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ଆୟୋଜିତ ଉକ୍ତ ଶିବିରରେ ମୋଟ ୧୦୦ ଜଣ ଛାତ୍ରୀ ତାଲିମ୍ ଗ୍ରହଣ କରିଥିଲେ ।
କଲେଜ ଅଧ୍ୟକ୍ଷା ପୁଷ୍ପଲତା କର ଉଦଜାପନୀ ସମାରୋହର ଅଧ୍ୟକ୍ଷତା କରି ବର୍ତ୍ତମାନ ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆଲୋକପାତ କରିଥିଲେ । ଏହାସହ ଗତ ୮ ଦିନ ଧରି ଶିଖିଥିବା ଆତ୍ମ ସୁରକ୍ଷା କୌଶଳକୁ ଆବଶ୍ୟକ ପଡ଼ିଲେ ସଦ୍ ବିନିଯୋଗ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ ଅଧ୍ୟକ୍ଷା ଶ୍ରୀମତୀ କର । ଉଦ୍ଯାପନୀ କାର୍ଯ୍ୟକ୍ରମରେ କଲେଜର ସୋସିଓଲୋଜି ଅଧ୍ୟାପକ ଅମୂଲ୍ୟ ମହାନ୍ତି ମଧ୍ୟ ଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇ ପାରିପାର୍ଶ୍ବିକ କାର୍ଯ୍ୟକ୍ରମ ସହିତ ଭଲ ଭାବରେ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ କଲେଜର ବରିଷ୍ଠ କର୍ମକର୍ତ୍ତା ଲାଲପଣ୍ଡା ବୃନ୍ଦାବନ ଗୌଡ, ଶମ୍ଭୁ ଜଡା, ଦୀପାଳୀ ପାଢୀ, ପ୍ରସନ୍ନ ଗଉଡ଼, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେଉଥିବା ନର୍ଲା ଡିଗ୍ରୀ ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ ତୃପ୍ତିସ୍ମିତା ସେଠୀ ଓ କୁମୁଦିନୀ ମାଝୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ କଲେଜର କ୍ରୀଡ଼ା ଶିକ୍ଷକ ସୁମନ୍ତ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ ।