ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ତୁଳାପଡା ସ୍ଥିତ ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଉଦଜାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦେଇ ତାଙ୍କ ଅଭିଭାଷଣରେ ‘ଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ଏହି ଯୁଗପଯୋଗୀ ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ବାସ୍ତବିକ ପ୍ରସଂଶନୀୟ । ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନରେ ଏହି ତାଲିମ୍ କର୍ମକୁ ଆସିବ ଏଥିରେ ସନ୍ଦେହ ନାହିଁ’ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା), ତୁଳାପଡା ସରପଞ୍ଚ ମଲ୍ଲିହାର ପଧାନ ଉପସ୍ଥିତ ରହି ଆତ୍ମସୁରକ୍ଷା ତାଲିମ ଶିବିରର ଗୁରୁତ୍ୱାରୋପ ସମ୍ବନ୍ଧରେ ଆଲୋକପାତ କରିଥିଲେ । କଲେଜର ଅଧ୍ୟକ୍ଷ ସୁଶୀଳ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମକୁ କଲେଜର ଇତିହାସ ଅଧ୍ୟାପକ ବିଜୟ କୁମାର ଭୋଇ ସଂଯୋଜନା କରିଥିଲେ । ଓଡିଆ ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ୱାଇଁ ଏହି ତାଲିମ୍ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଦୁଇଜଣ ପ୍ରଶିକ୍ଷିକା ସୁଶ୍ରୀ ଦେବସ୍ମୀତା ପଧାନ ଓ ଗୀତାଞ୍ଜଳୀ ବୈଠାରୁ କଲେଜର ୧୫୧ ଜଣ ଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ଅରୁଣ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଉଦ୍ୟାପନୀ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ଅଂଶ ଗ୍ରହଣ କରିଥିବା ପ୍ରଶିକ୍ଷିକା ଓ ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।