ମଶାଣିମୁଣ୍ଡା ଗାଁ ରାସ୍ତାକୁ ନେଇ ବିବାଦ: ସମାଧାନ ପାଇଁ ଗାଁରେ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ଓ୍ବାର୍ଡ ନମ୍ବର ୧ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ପ୍ରମୋଦ କିଶୋର ଦାସଙ୍କ ଘର ପର୍ଯ୍ୟନ୍ତ ଯାଇଥିବା ନୁଆପଡା-ସାହୁପଡା ର ମୁଖ୍ୟ ରାସ୍ତା ଜନୈକ ବ୍ୟକ୍ତିଙ୍କ ନାମରେ ଘରୋଇ ରାସ୍ତା ବୋଲି ରେକର୍ଡରେ ଉଲ୍ଲେଖ ରହିଛି । ଯାହା ଫଳରେ ଏହି ରାସ୍ତାକୁ ନେଇ ଗାଁରେ ବିବାଦ ସୃଷ୍ଟି ହୋଇଛି । ମଶାଣିମୁଣ୍ଡା ଗାଁ ଲୋକେ ଦୀର୍ଘ ୫୦ ବର୍ଷରୁ ଅଧିକ ହେଲା ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ହେଲେ ରାସ୍ତାଟି ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡ ଭୁକ୍ତ ହୋଇଥିବାରୁ ରାସ୍ତାର ଉନ୍ନତି ମୂଳକ କାର୍ଯ୍ୟ ହେବାରେ ବାଧା ସୃଷ୍ଟି ହୋଇଆସୁଛି । ତେବେ ଉକ୍ତ ରାସ୍ତାଟିକୁ ସଂପୃକ୍ତ ବ୍ୟକ୍ତି ଜଣକ ନିଜର ଜାଗା ବୋଲି ଦାବି କରିବା ସହ ଖମ୍ବ ପୋତି ଦେଇ ଲୋକଙ୍କ ଯିବା ଆସିବା ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ଗାଁରେ ଅସନ୍ତୋଷ ପ୍ରକାଶ ପାଇବା ସହ ତାହାର ସମାଧାନ ପାଇଁ ପ୍ରଶାସନ ପାଖରେ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

ଗ୍ରାମବାସୀଙ୍କ ଅଭିଯୋଗକୁ ପ୍ରଶାସନ ଗ୍ରହଣ କରି ତାହାର ସମାଧାନ କରିବା ପାଇଁ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ଏବଂ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ମଶାଣିମୁଣ୍ଡା ଗାଁକୁ ଯାଇ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ । ତେବେ ରାସ୍ତାଟି ଘରୋଇ ଥିବାରୁ ତାହାର ସମାଧାନ ଗ୍ରାମବାସୀ ଏବଂ ଜାଗା ମାଲିକ୍ ଙ୍କ ବୁଝାମଣା ହିଁ ସମାଧାନ ହୋଇପାରିବ ବୋଲି କହିଥିଲେ । ତେବେ ରାସ୍ତା ସମସ୍ୟାର ସମାଧାନ ବାହାର କରିବା ପାଇଁ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଲଇତରା ପଞ୍ଚାୟତ ସରପଞ୍ଚ ଅଶୋକ ପୋଢ, ଜିଲ୍ଲା ପରିଷଦ ସଭ୍ୟ ନରୋତ୍ତମ ଭାଟି, ସମିତି ସଭ୍ୟ ଥବିର ଗଉଡ, ଓ୍ବାର୍ଡ ସଭ୍ୟ ପ୍ରମୁଖଙ୍କ ଉପସ୍ଥିତି ରେ ମଶାଣିମୁଣ୍ଡା ଗ୍ରାମବାସୀ ଏବଂ ଜାଗା ମାଲିକ୍ ଗଜେନ୍ଦ୍ର ନାଏକଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଏକ ଆଲୋଚନା କରାଯାଇଥିଲା । ଉଭୟ ପକ୍ଷଙ୍କ ଭିତରେ ଆଲୋଚନା ହେଲା ପରେ ସମାଧାନର ରାସ୍ତା ବାହାରି ଥିବା ନେଇ ଖବର ଜଣାପଡିଛି । ତେବେ ଗ୍ରାମବାସୀ ଓ ଜାଗା ମାଲିକଙ୍କ ମଧ୍ୟରେ କିପ୍ରକାର ବୁଝାମଣା କରାଯାଇ ସମାଧାନ ହୋଇଛି ତାହା ସ୍ପଷ୍ଟ ସୂଚନା ଜଣାପଡି ନାହି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.