‘ବିଜ୍ଞାନ ଦ୍ୱାରା ହିଁ ବିକାଶ ସମ୍ଭବ’ -ତପିମଣି ଜାନୀ, ବ୍ଲକ୍ ଶିକ୍ଷାଧିକାରୀ ନର୍ଲା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲା ଠାରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ ଉଦ୍ଘାଟନୀ ସମାରୋହରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ ମେଳାକୁୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଏବିଇଓ ଜୟସେନ ନିଆଲ ଯୋଗଦାନ କରିଥିଲେ । ବ୍ଲକ୍ ବିଜ୍ଞାନ ସାଧନ କେନ୍ଦ୍ର ନର୍ଲାର ସଭାପତି ତଥା ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ ବିଜ୍ଞାନ ମେଳାଟି ଆୟୋଜିତ ହୋଇଥିଲା । ୬ଷ୍ଠ ରୁ ୧୦ମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ନର୍ଲା ବ୍ଲକ୍ ଅଧିନସ୍ଥ ବିଦ୍ୟାଳୟ ଗୁଡିକରୁ ୫୩ ଗୋଟି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥରକ ବିଜ୍ଞାନ ମେଳାର ବିଷୟ ବସ୍ତୁ ରହିଥିଲା ଖେଳନା ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ ପ୍ରକଳ୍ପ ପ୍ରଦର୍ଶନ । ବିଚାରକ ଭାବରେ ତିଲଯୋଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ହୋତା ଓ ତଳବେଲଗାଁ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବ୍ଲକ୍ ବିଜ୍ଞାନ ସାଧନ କେନ୍ଦ୍ର ନର୍ଲାର ସମ୍ପାଦକ ତଥା ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ବିଜ୍ଞାନ ମେଳାଟିକୁ ପରିଚାଳନା କରିଥିଲେ । ଆଜି (ମାର୍ଚ୍ଚ ୫ ମଙ୍ଗଳବାର) ଅପରାହ୍ନ ୩ ଘଣ୍ଟା ସମୟରେ ଉଦ୍ଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନର୍ଲା ବିଇଓ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ‘ବିଜ୍ଞାନ ଦ୍ୱାରା ହିଁ ବିକାଶ ସମ୍ଭବ’ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ଏବିଇଓ ଶ୍ରୀ ନିଆଲ ଯୋଗଦାନ କରି ବିଜ୍ଞାନ ଭିତ୍ତିକ ଏହି ସୃଜନାତ୍ମକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରସଂଶା କରିଥିଲେ । ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ମଞ୍ଚ ସଂଯୋଜନା କରିଥିଲେ । ନର୍ଲା ହାଇସ୍କୁଲର ବରିଷ୍ଠ ଶିକ୍ଷକ ସୁବାସ ପଧାନ, ତେଜରାଜ ସାହୁ, ହେମନ୍ତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ୫୩ ଗୋଟି ପ୍ରକଳ୍ପ ମଧ୍ୟରୁ ସର୍ବଶ୍ରେଷ୍ଠ ୫ ଗୋଟି ପ୍ରକଳ୍ପକୁ ବିଚାରକ ମାନଙ୍କ ଦ୍ୱାରା ଚୟନ କରାଯାଇଥିଲା । ଚୟନ କରାଯାଇଥିବା ଶ୍ରେଷ୍ଠ ୫ ଜଣ ଛାତ୍ରଛାତ୍ରୀ ସ୍ୱୟଂସ୍ୱାଗତ କର ଓଏଭି ନର୍ଲା, ପ୍ରତ୍ୟାସା ପଟ୍ଟନାୟକ ଭାନପୁର ହାଇସ୍କୁଲ, ସୌମ୍ୟରଂଜନ ପ୍ରଧାନ ଶାନ୍ତପୁର ହାଇସ୍କୁଲ, ଖିତେଶ ବାଗ ପଲସାପଡା ଉପ୍ରା ବିଦ୍ୟାଳୟ, କୃଷ୍ଣ ସାହୁ ପଲମ ୟୁପି ସ୍କୁଲ । ଚୟନ କରାଯାଇଥିବା ଛାତ୍ର ଛାତ୍ରୀ ମାନେ ଭବାନୀପାଟଣାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଆୟୋଜକ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି ।