ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେଶ ଖୁସି ପରିଲକ୍ଷିତ ହେଉଛି । କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଏପ୍ରିଲ ଏକ ତାରିଖରୁ ଆରମ୍ଭ ହୋଇଛି । ଏହା ତେରଦିନ ବ୍ୟାପି ଚାଲିବ । ମେରୁ ଯାତ୍ରା ପରେ ପଣା ସଂକ୍ରାନ୍ତି ଦିନ ଏହି ଯାତ୍ରା ଶେଷହେବ ।
ଗତ ଶୁକ୍ରବାର ଏପ୍ରିଲ ୧ତାରିଖ ରାତିରେ ଗାଁ ପୋଖରୀରେ ମାନସିକଧାରୀ ଦଣ୍ଡୁଆ ତେର ଭୋକତା ନିର୍ଜଳା ଉପବାସ ରହିଥିଲେ । ପାଟଭୋକତା ସମେତ ଅନ୍ୟାନ୍ୟ ଭକ୍ତଗଣ ବ୍ରହ୍ମଅଗ୍ନି ନିମନ୍ତେ ଦକ୍ଷିଣକାଳୀଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ । ମାଆ ରାତି ଆଠଟା ପନ୍ଦର ମିନିଟ ସମୟରେ ଆବିର୍ଭାବ ହୋଇଥିଲେ । ପାଟଢୋଲ ପାଣି ଢୋଲ ଘଣ୍ଟ କାହାଳି ମହୁରୀ ଓ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଦଣ୍ଡବିଧାନ ଅନୁଯାୟୀ ଦଣ୍ଡନୃତ୍ୟ ଥଳ ସକାଳୁ କାମନାକାରୀଙ୍କ ଘରକୁଯାଇ ବରଣ ହୋଇ ଦଣ୍ଡନୃତ୍ୟ କରିଥାନ୍ତି । ଦିନ ଦ୍ବିପ୍ରହରରେ ଧୂଳିଦଣ୍ଡ ସନ୍ଧ୍ୟାରେ ପାଣିଦଣ୍ଡ ଏବଂ ରାତ୍ରରେ ଝୁଣାଦଣ୍ଡ ବା ଅଗ୍ନିଦଣ୍ଡ ଅନୁଷ୍ଠିତ ହୁଏ । ପରଭା ନୃତ୍ୟ ପରେ ହର ପାର୍ବତୀ ବିଜେକରି ନୃତ୍ୟ ଓ ଗୀତ ମାଧ୍ୟମରେ ଦଣ୍ଡଚରିତ୍ର ଓ ବୃତ୍ତାନ୍ତ ବର୍ଣ୍ଣନା କରିଥାନ୍ତି ।
ଦଣ୍ଡନୃତ୍ୟରେ ଚଢ଼େୟା – ଚଢ଼େୟାଣୀ, ସୌରା – ସୌରୁଣୀ ଯୋଗୀ – ଯୋଗିଆଣୀ ବୀଣାକାର – କାରୁଆଣୀଙ୍କ ନୃତ୍ୟ ମନମୁଗ୍ଧ କରେ ଦେଖଣାହାରୀଙ୍କୁ । ମାନସିକଧାରୀ ଦଣ୍ଡୁଆ ଗୋଟିଏ ଓଳି ଉପବାସ ରହି ଗୋଟିଏ ଓଳି ଅରୁଆ ହବିଷଅର୍ଣ୍ଣ ସେବନ କରିଥାନ୍ତି । ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଦଣ୍ଡୁଆଙ୍କ ଶୋଭାଯାତ୍ରା ବାଲିଗୁଡା ସହର ସମେତ ପୁରପଲ୍ଲୀରେ ଶୋଭାବର୍ଦ୍ଧନ କରୁଛି । ସନ୍ଧ୍ୟା ସମୟରେ ମାଁ ଗ୍ରାମ ପରିକ୍ରମା କରନ୍ତି । ସେହି ସମୟରେ ଶ୍ରଦ୍ଧାଳୁମାନେ ନିଜ ଘର ଆଗରେ ଭୋଗ ବାଢ଼ିବା ସହ ମା’ଙ୍କ ଦର୍ଶନ କରି ଭକ୍ତିକୃପା ଲାଭ କରନ୍ତି । ଦୀର୍ଘ ଦୁଇବର୍ଷ ପରେ ତାଙ୍କୁ ନିଜ ଗାଁ, ସାହି ଓ ଘର ପାଖରେ ଦର୍ଶନ କରିବାର ସୁଯୋଗ ପାଇ ଭାବ ବିହ୍ୱଳ ହୋଇ ପଡ଼ୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।