କାମନା ଦଣ୍ଡ ମହା କଭ୍‌ରେଜ୍ (୫) : ଅଗ୍ନି ଦଣ୍ଡ ର ଇତିବୃତି

ପାଣିଦଣ୍ଡ ପରେ ପରେ ଘାଟରେ ସ୍ନାନ ତଥା ଧୂପ, ଦୀପ, ନୈବେଦ୍ୟରେ ପୂଜା ହେଇଥିବା ଦୁଇଟି ଦଣ୍ଡ (ପାଟ ଦଣ୍ଡ ଓ ପରି ଦଣ୍ଡ)ରେ ଅଗ୍ନି ସଂଯୋଗ କରାଯାଏ । ୟେ ହେଉଛି ପ୍ରଥମ ଅଗ୍ନି ଦଣ୍ଡ । ସେଠାରୁ ଝୁଣା ସାହାଯ୍ୟରେ ଅଗ୍ନି ଦଣ୍ଡକୁ ନେଇ ଦାତାଙ୍କ ଘର ସମ୍ମୁଖକୁ ଆସନ୍ତି ତେର ଭକ୍ତା । ଦାତାଙ୍କ ଘର ସମ୍ମୁଖରେ ପୂଜାର୍ଚ୍ଚନା ପରେ ଅଳ୍ପ ସମୟପାଇଁ ଝୁଣା ଖେଳି ପଞ୍ଚାମୃତ ଦେଇ ଦଣ୍ଡକୁ ଲିଭାଇ ଦିଆଯାଏ । ସେଠାରୁ ବିଶ୍ରାମସ୍ଥଳୀରେ ଯାଇ ବିଶ୍ରମାନ୍ତେ ସନ୍ଧ୍ୟାରେ ପୁଣିଥରେ ଦାତାଙ୍କ ଘରକୁ ଆସିବା ବେଳେ ଅଳ୍ପ ବାଟ ଆଗରୁ ମଣ୍ଡଳ ପ୍ରସ୍ତୁତ ପୂର୍ବକ ଦୁଇଟି ଦଣ୍ଡକୁ ରଖାଯାଇ, ପୂଜାର୍ଚ୍ଚନା ପରେ ଚମ୍ପାବରରୁ ଅଗ୍ନି ଆଣି ଦଣ୍ଡରେ ସଂଯୋଗ କରାଯାଏ । ପରେ ଗ୍ରାମ, ଦେଶ, ଦାତା, ତେର ଭକ୍ତ ତଥା ଅନ୍ୟସମସ୍ତଙ୍କର ମଙ୍ଗଳକାମନା, କାଳକଣ୍ଟକ ଦୂର, ଦୁଃଖ ଦୂର, ସଂସାରେ ସୁଖୀ ରହିବାର କାମନା ପୂର୍ବକ ଝୁଣା ଦିଆଯାଏ ଏବଂ ଏହି ସମୟରେ ତେର ଭକ୍ତାଙ୍କ ଶ୍ରୀକଳା ରୁଦ୍ରମଣି କି ଭଜ ହେ ସ୍ୱରରେ ନିନାଦିତ ହୁଏ ସମଗ୍ର ପରିବେଶ । ଭକ୍ତ ମାନଙ୍କ ମଧ୍ୟରୁ କିଛି ଭକ୍ତଙ୍କ ମୁଣ୍ଡରେ କାଳିସୀ ସବାର୍ ହୁଏ, ସେମାନେ ନୃତ୍ୟ କରନ୍ତି । ବାଦ୍ୟର ତାଳେ ତାଳେ ଅଗ୍ନି ଦଣ୍ଡ ଖେଳି ଖେଳି ଦାତାଙ୍କ ଘର ସମ୍ମୁଖକୁ ଆସନ୍ତି । ଏବଂ ସେଠାରୁ ବିଭିନ୍ନ ଅଗ୍ନି ଦଣ୍ଡର କୌଶଳ ପ୍ରଦର୍ଶନ କରନ୍ତି ପାଟ ଓ ପରି ଦଣ୍ଡୁଆ । ଚମତ୍କାର କୌଶଳ ସବୁ, ଯାହା ଦେଖିଲେ ମନରେ ଭୟ ସଂଚାର ହେଉଥାଏ ଏବଂ ମାଁଙ୍କ ନିକଟରେ ନିଜକୁ ସର୍ମପି ହେଇଯାଏ । ସେଠାରେ ଖେଳ ପ୍ରଦର୍ଶନ ପରେ ଅଗ୍ନି ଦଣ୍ଡକୁ ପ୍ରଭା, ଛତରାଦିଙ୍କ ଆସ୍ଥାନ ପାଖରେ ରଖାଯାଇ, ଅର୍ଦ୍ଧରାତିରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଝୁଣା ଦ୍ୱାରା ଦାତାଙ୍କ ମଙ୍ଗଳକାମନା ପୂର୍ବକ ଜଳେଇ ରଖାଯାଏ । ଅର୍ଦ୍ଧରାତି ପରେ ପୁଣିଥରେ ତେର ଭକ୍ତାଙ୍କ ଉପସ୍ଥିତିରେ ଦଣ୍ଡରୁ ଅଗ୍ନିକୁ ଝୁଣା ଦେଇ ଅଗ୍ନିଙ୍କୁ ଶାନ୍ତ କରାଯାଏ । ଅନ୍ୟ ଦଣ୍ଡ ଭଳି ଅଗ୍ନି ଦଣ୍ଡ ମଧ୍ୟ ନିଜର ସ୍ୱତନ୍ତ୍ର ମର୍ଯ୍ୟାଦା ରଖେ । (କ୍ରମଶଃ….)

ଉପସ୍ଥାପନା:

✍🏾ହେମନ୍ତ ସାହୁ

ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି
OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.