ନର୍ଲାରେ ଚାଲିଛି ଏସ୍ଇଏମ୍ ମାନଙ୍କ ତାଲିମ୍ ଶିବିର

ଅବସର ନେବାକୁ ବସିଲେଣି ହେଲେ ଚାକିରୀ ସ୍ଥାୟୀ ହୋଇପାରୁନି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଓଡିଶାରେ ଚାଲିଛି ରାଜ୍ୟ ସରକାରଙ୍କର “ଘର ଘର ଜଳ” ଯୋଜନା । ଏଥିପାଇଁ ପ୍ରତି ଗ୍ରାମ ପଞ୍ଚାୟତର ଦୁଇରୁ ତିନିଗୋଟି ଗ୍ରାମକୁ ନେଇ ପାନୀୟ ଜଳ ଯୋଗାଣ ଯୋଜନାର ପ୍ରକଳ୍ପ ସବୁ ନିର୍ମିତ ହୋଇଛି । ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଚାଲିଛି ପାନୀୟ ଜଳ ଯୋଗାଣ । ଗ୍ରାମ ପଞ୍ଚାୟତ ଗୁଡିକ ଏସବୁର ମେନଟେନାନ୍ସ କରୁଛନ୍ତି । ଏସଇଏମ୍ ମାନଙ୍କୁ ଦରମା ଦେଉଛନ୍ତି । ନଦୀ କିମ୍ବା ଝରଣା ରହିଥିବା ଗ୍ରାମ ଗୁଡିକରେ ନଦୀ କୂଳରେ ଇନଟେକ ୱେଲ ନିର୍ମାଣ କରି ଓଭର ହେଡ ଟ୍ୟାଙ୍କରେ ପାଣି ଚଢେଇ ଗାଁ ଗୁଡିକୁ ଚାଲିଛି ପାନୀୟ ଜଳ ଯୋଗାଣ । ଆଉ ନଦୀ ନଥିବା ଗ୍ରାମ ଗୁଡିକରେ ପାଣି ଟାଙ୍କି ପାର୍ଶ୍ୱରେ ଇନ୍ଟେକ୍ ୱେଲ୍ ସବୁ ଖୋଳି ଜଳ ଯୋଗାଣ ଚାଲିଛି । ଆଉ ପ୍ରତିଦିନ ଜଳ ଯୋଗାଣ ନିମନ୍ତେ ମୋଟର ଚଳାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତ ଗୁଡିକରେ ଦୁଇରୁ ତିନିଜଣ ଲେଖାଏଁ ଏସ୍ଇଏମ୍/ ପମ୍ବଲର ମାନେ ନିଯୁକ୍ତି ହୋଇଛନ୍ତି ।

ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୯୦ ଜଣ ଏସଇଏମ୍ ଓ ପମ୍ବଲର ରହିଥିବା ସୂଚନା ମିଳିଛି । ପ୍ରତିଦିନ ନୂଆ ନୂଆ ପାର୍ଟ ସବୁ ବାହାରୁଥିବା ବେଳେ ଏଗୁଡିକ ସହିତ ଏସ୍ଇଏମ୍/ପମ୍ବଲର ମାନଙ୍କୁ ପରିଚିତ କରେଇବା । କାମ କରିବାର ନିୟମ ଓ ଧାରା ଉପରେ ଅବଗତ କରେଇବା ହେଉଛି ତାଲିମ୍ ଶିବିରର ଲକ୍ଷ୍ୟ ବୋଲି କହିଛନ୍ତି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଗ୍ରାମ୍ୟ ଜଳଯୋଗାଣ ବିଭାଗ, ନର୍ଲାର କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ । ଗତ ମାର୍ଚ୍ଚ ୩୧ ରୁ ନର୍ଲା ବ୍ଲକ୍ ପରିସରରେ ଥିବା ନୂଆ କନଫରେନ୍ସ ହଲରେ ଓର୍ମାସ୍ ଏବଂ ଆରଡବ୍ଲୁଏସ୍ଏସ୍ ର ମିଳିତ ଆନୁକୂଲ୍ୟରେ ତାଲିମ୍ ଶିବିର ଚାଲୁଥିବା ବେଳେ ନିଆମ୍ ଏଜୁକେସନ୍ ଫାଉଣ୍ଡେସନ୍ ତାଲିମ୍ ପ୍ରଦାନ କରୁଥିବା ଜଣାପଡିଛି । ପ୍ରତି ପର୍ଯ୍ୟାୟରେ ୩୦ ଜଣ ଲେଖାଏଁ ଏସଇଏମଙ୍କୁ ତାଲିମ୍ ପ୍ରଦାନ କରାଯାଉଥିବା ବେଳେ ତିନିଗୋଟି ପର୍ଯ୍ୟାୟରେ ସମସ୍ତ ୯୦ ଜଣ ଏସଇଏମ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ନିଆମ୍ (NIAM) ଏଜୁକେସନ ଫାଉଣ୍ଡେସନ ତରଫରୁ ତାଲିମଦାତା ଭାବରେ ଶକ୍ତିରଞ୍ଜନ ଦାସ୍ ଓ ମାନସ କୁମାର ସାହୁ ପ୍ରତିଦିନ ତାଲିମ୍ ପ୍ରଦାନ କରୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ମାର୍ଚ୍ଚ ୩୧ ରୁ ଆରମ୍ଭ ହୋଇଥିବା ବେଳେ ଏହା ଅପ୍ରେଲ ୯ ଯାଏଁ ଚାଲିବ । ଏହାପରେ ଅପ୍ରେଲ ୧୦ ରୁ ଦ୍ବିତୀୟ ଓ ଅପ୍ରେଲ ୨୦ ରୁ ତୃତୀୟ ପର୍ଯ୍ୟାୟ ତାଲିମ୍ ଶିବିର ଚାଲିବ ବୋଲି ଜଣାପଡିଛି । ତାଲିମ୍ ସମୟରେ ଦିନକୁ ୩୦୦ ଟଙ୍କା ଲେଖାଏଁ ପାରିତୋଷିକ ପାଉଣା ସାଙ୍ଗକୁ ପ୍ରତି ଏସଇଏମ୍ ଙ୍କୁ ଗୋଟାଏ ଲେଖାଏଁ ଟୁଲ କିଟ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ହେଲେ ଦୁଃଖର ବିଷୟ ଏହି ଏସ୍ଇଏମ୍ ଓ ପମ୍ବଲର ମାନେ ଅନ୍ୟ ରେଗୁଲାର କର୍ମଚାରୀ ମାନଙ୍କ ଭଳି ଦିନରାତି ଖଟି ଲୋକଙ୍କୁ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିଲେ ମଧ୍ୟ ଆରଡବ୍ଲୁଏସ୍ଏସ୍ ରେ ୨୦ ବର୍ଷ ଲେଖାଏଁ କାମ କରି ସାରିଥିଲେ ମଧ୍ୟ ଏମାନଙ୍କ ଗୁହାରୀ ସରକାର ଶୁଣୁ ନାହାନ୍ତି । ବାରମ୍ବାର ଆନ୍ଦୋଳନ, ଧର୍ମଘଟ କରିସାରିଲେଣି । କେତେକ ଏସଇଏମ୍ ଅବସର ନେବା ବୟସରେ ପହଞ୍ଚି ସାରିଥିଲେ ମଧ୍ୟ ସରକାର ଏମାନଙ୍କ ଚାକିରୀକୁ ସ୍ଥାୟୀ କରି ନାହାନ୍ତି । ଏମାନେ ନିଜ ଗ୍ରାମ ପଞ୍ଚାୟତ ଗୁଡିକ ଠାରୁ ମାସିକ ୧୫,୦୦ ରୁ ୩,୦୦୦ ଟଙ୍କା ମଧ୍ୟରେ ପାଉଣା ପାଇ ବଡ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ଜଣାପଡିଛି । ଏମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟିପଡୁ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.