ଅପ୍ରେଲ ୭ ବିଶ୍ବ ସ୍ବାସ୍ଥ୍ୟ ଦିବସ
✍🏾 ବିଶ୍ବବିଜୟୀ ଦାଶ
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସ୍ବାସ୍ଥ୍ୟ ମଣିଷ ପାଇଁ ଏକ ମୌଳିକ ଆବଶ୍ୟକତା । ସ୍ୱାସ୍ଥ୍ୟ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନଯାପନ କରିପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅବଗତି କରିବା ସହ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ କାର୍ଯ୍ୟ । ସ୍ବାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ସୁସ୍ଥତା । ଏହା କେବଳ ରୋଗ କିମ୍ବା ବିକଳାଙ୍ଗର ଅନୁପସ୍ଥିତି ନୁହେଁ । ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ଅଧିକ । ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ । ଏତଦ୍ବ୍ୟତୀତ ଏବେ ସମାଜରେ ସାମାଜିକ ରୋଗମାନ ଦ୍ରୁତଗତିରେ ବୃଦ୍ଧି ପାଉଛି । ମଦ୍ୟପାନ, ନିଶା ସେବନ,ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ ଓ କଳୁଷିତ କରି ପକାଇଲାଣି ।ଏଥିରୁ ନିବୃତ ରହିବା ଅତ୍ୟନ୍ତ ଜରୁରୀ । ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।ସବୁବେଳେ ରାତ୍ରି ଭୋଜନ ହାଲୁକା କରିବା ଦରକାର । ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ, ପନିପରିବା, ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ । ଏକ ସୁସ୍ଥ ଶରୀର ପାଇଁ ଭଲ ନିଦ ନିତ୍ୟନ୍ତ ଜରୁରୀ ।ଯେଉଁମାନେ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ସେମାନେ ଅନେକ ସମୟରେ ରୋଗରେ ପଡ଼ିଥାନ୍ତି । ଭଲ ନିଦ ଉଭୟ ଶରୀର ଏବଂ ମନକୁ ପ୍ରଭାବିତ କରିଥାଏ । ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବ୍ୟାୟାମ । ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ।ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ । ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ପ୍ରତି ସମାନ ଧ୍ୟାନ ଦେବା ଉଚିତ୍ । ଯେତେ ମାନସିକ ସ୍ତରରେ ସୁସ୍ଥ ରହିବ ସେତେ ଶାରୀରିକ ଭାବରେ ଫିଟ୍ ମଧ୍ୟ ରହିବ ।
ବିଏସସି, ବିଇଡ଼ି (ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର, ଖୋର୍ଦ୍ଧା
ପିନ୍-୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮