ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଭାରତୀୟ ମଜଦୂର ସଙ୍ଘ ସହବନ୍ଧିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ ଆସୋସିଏସନ ନୂଆପଡା ଜିଲ୍ଲା ଶାଖା ତରଫରୁ ସାରା ଜିଲ୍ଲାର ହଜାର ହଜାର ଅଙ୍ଗନବାଡି ୱାର୍କର୍ସ ରାଜ୍ୟ ବ୍ୟାପି କାର୍ଯ୍ୟକ୍ରମ ମୁତାବକ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଜିଲ୍ଲା ସଭାନେତ୍ରୀ ଲୋଭା ଲୁହାର ଓ ଜିଲ୍ଳା ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଘେରାଓ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହକ ଯଦୁମଣି ପାଣିଗ୍ରାହୀ, ବିଏମଏସ ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ଦଣ୍ଡସେନା ମୁଖ ଅତିଥି ଓ ସମ୍ମାନିତ ଅତିଥି ରୂପେ ସାମିଲ ହୋଇ ଉଦବୋଧନ ଦେବା ସହିତ ଘେରାଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ମାର୍ଗଦର୍ଶନ କରିଥିଲେ । ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ମୁତାବକ ଚଉଦ ଦଫା ଦାବୀ ପତ୍ର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସ୍କିମ ପ୍ରଥାକୁ ଉଚ୍ଛେଦ କରି ସରକାରୀ ମାନ୍ୟତା ପ୍ରଦାନ ଓ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା । ସରକାରୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀ ଙ୍କୁ ୨୧୦୦୦ ଓ ସହାୟିକାଙ୍କୁ ୧୫୦୦୦ ଦରମା ପ୍ରଦାନ । ଅବସର କାଳୀନ ସହାୟତା ରାଶି ବୃଦ୍ଧି କରି ୫ଲକ୍ଷ ଟଙ୍କା ଓ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ । ମିନି ଅଙ୍ଗନବାଡିଙ୍କୁ ଅଙ୍ଗନବାଡିର ମାନ୍ୟତା ଓ ତାଙ୍କୁ ବି ସହାୟିକା ପ୍ରଦାନ । ଆନ୍ଦୋଳନ ହେତୁ ବହିସ୍କୃତ ସାତ ଜଣ କର୍ମୀଙ୍କୁ ପୁନଃ ନିଯୁକ୍ତି । ରାଷ୍ଟ୍ରୀୟ ନୀତି ୨୦୨୦ ମୁତାବକ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଓ କର୍ମୀଙ୍କୁ ପ୍ରାଥମିକ ଶିକ୍ଷକର ମାନ୍ୟତା ପ୍ରଦାନ । କର୍ମୀଙ୍କ ମୃତ୍ୟୁରେ ମୃତ୍ୟୁ କାଳୀନ ସହାୟତା ୫ଲକ୍ଷ ଟଙ୍କା ଓ ପରିବାର ଜଣକୁ ନିଯୁକ୍ତି । କରୋନାରେ ମୃତ୍ୟୁବରଣ କରିଥିବା କର୍ମୀଙ୍କୁ କେନ୍ଦ୍ରସରକାରଙ୍କ ଘୋଷଣା ମୁତାବକ କରୋନା ଯୋଦ୍ଧା ରୂପେ ୫୦ଲକ୍ଷ ଟଙ୍କା ର ବୀମା ପ୍ରଦାନ । ରାଜ୍ୟ ସରକାର ଘୋଷଣା ମୁତାବକ ମୃତ କରୋନା ଯୋଦ୍ଧା କୁ ମାସିକ ୭୫୦୦ ତାଙ୍କ ସହାୟତା ଜଣକୁ ଚାକିରୀ କରୋନା ରେ ମୃତ ଅଙ୍ଗନବାଡି ଜର୍ମୀ ପାଇଁ ଲାଗୁ କରିବା । ରବିବାର ଛୁଟି ଦିନ କାର୍ଯ୍ୟ କଲେ ଦୁଇ ଗୁଣ ଦରମା । ସୋପାନ କାର୍ଯ୍ୟକ୍ରମ ରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ ତହିଁରୁ ଅଙ୍ଗନବାଡି କର୍ମୀ ଙ୍କୁ ବାଦ ଦେବା ଇତ୍ୟାଦି ଚଉଦ ଦଫା ଦାବି ପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ସରକାର ସମସ୍ତ ଦାବୀ ବିଚାର କରି ପୁରଣ ନକଲେ ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲା ବ୍ୟାପି କଲମ ଛାଡ଼ ସହିତ ଜୋରଦାର ଆନ୍ଦୋଳନ ର ଚେତାବନୀ ଦିଆଯାଇଛି।ଏହି ଆନ୍ଦୋଳନ ରେ ବିଭିନ୍ନ ବ୍ଲକର ନେତୃତ୍ୱ ନେଇଥିବା ଜାନକୀ ମାଝୀ, ଊମା ମାଝୀ, ରଶ୍ମିତା ପ୍ରଧାନ,ପୁଷ୍ପା ପଟ୍ଟନାୟକ, କୁମୁଦିନୀ ଭୋଇ, ଗୀତାଞ୍ଜଳି ବିଶି, କବିତା ସାହୁ, ଯମୁନା ପାଣ୍ଡେ, ଭାନୁମାତି ନାଏକ, ସସ୍ମିତା ଦୁରିଆ,ପ୍ରମୋଦିନୀ ନାଏକ ପ୍ରମୁଖ ତଥା ବିଏମଏସ ତରଫରୁ କୁଞ୍ଜ ବିହାରୀ କଟା, ସତ୍ୟବାନ କଟା, ଦେବସିଂ ମାଝୀ, ଦେବସାଗର ନାଗ, ଖଗେଶ୍ୱର ପରାଭୋଇ, ବାବୁଲାଲ ମାଝୀ, ସୁଖଦେବ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ସଭାପତି ଲୋଭା ଲୁହାର୍ ଓ ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ ଅଲ ଓଡିଶା ଅଙ୍ଗନବାଡି ୱାର୍କରସ ଆସୋସିଏସନ ଓଡିଶା, ନୂଆପଡା ଜିଲ୍ଲା ଶାଖା ଯୋଗ ଦେଇଥିଲେ ।