ପାରଦ ଡେଇଲାଣି ୪୨ ଡିଗ୍ରୀ: ନର୍ଲାରେ ଅସମ୍ଭାଳ ତାତି, ଜନଜୀବନ ଅସ୍ତବ୍ୟସ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ପ୍ରବଳ ଗ୍ରୀଷ୍ମ ତାତି ଅନୁଭୁତ ହେଉଛି । ମାର୍ଚ୍ଚ ମାସରୁ ତାତି ଆରମ୍ଭ ହୋଇ ଯାଇଥିବା ବେଳେ, ଅପ୍ରେଲ ମାସ ଆରମ୍ଭରେ ପାରଦ ୪୨ ଡିଗ୍ରୀ ଅତିକ୍ରମ କରି ସାରିଲାଣି । ଦିନ ୧୧ ଟା ହୋଇଗଲେ ଖରା ତାତି ଆଉ ସହି ହେଉନି । ଅନ୍ୟପକ୍ଷେ ଚଳିତ ବର୍ଷ ବର୍ଷା ଦିନେ କମ୍ ବର୍ଷା ଯୋଗୁଁ ନଈ ବଢି ହୋଇ ନଥିବା ବେଳେ, ବନ୍ଧ ପୋଖରୀ ଗୁଡିକ ମଧ୍ୟ ଭର୍ତ୍ତି ହୋଇ ନଥିଲା । ଫଳ ସ୍ୱରୁପ ଜାନୁୟାରୀ ମାସରୁ ନର୍ଲା ସାନ୍ଦୁଲ ନଈ, ବାଗପୁର ନାଳ, ଛତିକୁଡା ନଈ ପ୍ରଭୃତି ଶୁଖି ଯାଇଛି । ଏହି ନଈ କୁଳ ଗୁଡିକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷର କୁପ ଖନନ କରାଯାଇ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଏଣୁ ମାର୍ଚ୍ଚ ମାସ ଆରମ୍ଭରେ ନଈ ଗୁଡିକରେ ପାଣି ନାହିଁ । ଅବସ୍ଥା ଖରାପ ହୋଇଗଲାଣି । ପିଲାମାନେ ଶୁଖିଲା ପୋଖରୀ ଭିତରେ କ୍ରୀକେଟ ଖେଳୁଥିବା ଦୃଶ୍ୟମାନ ହେଉଛି । ଚଳିତ ମାସରୁ ଆଉ ପାନୀୟ ଜଳ ଠିକ୍ ଭାବରେ ଉପଲବ୍ଧ ମଧ୍ୟ ହେଉନାହିଁ । ନର୍ଲା ବ୍ଲକ୍ ଅଞ୍ଚଳର ଅନେକ ସ୍ଥାନରେ ଜଳାଭାବ ଯୋଗୁଁ ଆରଡବ୍ଲୁଏସଏସ ତରଫରୁ ପାନୀୟ ଜଳ ଠିକ୍ ଭାବରେ ସପ୍ଲାଇ ହୋଇପାରୁନଥିବା ଜଣାପଡିଛି । ଅନ୍ୟପକ୍ଷେ ନର୍ଲାର ଯାତ୍ରୀ ବିଶ୍ରାମ କେନ୍ଦ୍ର ବୋଲି କୁହା ଯାଉଥିବା ଶିଶୁ ମନ୍ଦିର ଛକର ସମସ୍ତ ଗଛ ଗୁଡିକୁ ରାସ୍ତା ପ୍ରଶସ୍ଥି କରଣ ନାଁ ରେ ବିଭାଗ ତରଫରୁ କାଟି ପକେଇବା ଫଳରେ ଶିଶୁ ମନ୍ଦିର ଛକ ସମେତ ରାସ୍ତା କଡର ଗାଁ ଗୁଡିକ ମରୁଭୁମି ସଦୃଶ ପ୍ରତୀୟମାନ ହେଉଛି । ପ୍ରବଳ ଗରମ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ ୧୧ ଟା ରୁ ରାସ୍ତାଘାଟ ସବୁ ଶୁନସାନ୍ ଓ ଖାଁଖାଁ ଲାଗୁଛି । ସରକାର ସକାଳ ୭ ଠାରୁ ୧୧ ଯାଏଁ ହିଁ ଶ୍ରମିକ ମାନେ କାମ କରିବେ ବୋଲି କଡାକଡି ନିୟମ କରିଛନ୍ତି । ହେଲେ ନର୍ଲାର କେତେକ ସ୍ଥାନରେ ଭବନ ଓ ରାସ୍ତାଘାଟ ନିର୍ମାଣ ସବୁ ଚାଲିଛି । ସମ୍ପୃକ୍ତ ଠିକାଦାର ଶିଘ୍ର କାମ ସାରିଦେବା ମନୋବୃତ୍ତି ନେଇ ସରକାରଙ୍କର ଏହି ନିୟମକୁ ଭୃକ୍ଷେପ ନକରି ଶ୍ରମିକ ମାନଙ୍କୁ ଦିନ ଗୋଟାଏ ଯାଏଁ ଏବଂ ଖାଇ ସାରିବା ପରେ ୨.୩୦ ଟା ରୁ ସଂଧ୍ୟା ୬ ଟା ଯାଏଁ ଖଟାଉ ଥିବାର ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଖରା ଯୋଗୁଁ ବାଟୋଇ ମାନେ ପାଣି ମୁନ୍ଦିକ ପାଇଁ ହା ହୁତାଶ ହେଉଥିବା ଦେଖିବାକୁ ମିଳୁଛି । ଆଗକୁ ଆଉ ଦୁଇମାସ ଖରାର ପ୍ରକୋପ ରହିପାରେ ବୋଲି ଅନୁମାନ କରାଯାଉଛି । ଏଣୁ ଚଳିତ ବର୍ଷ ଆଗକୁ କିଭଳି ପରିସ୍ଥିତି ସୃଷ୍ଟିହେବ ତାହା କହି ହେଉନାହିଁ । ଏଥି ନିମନ୍ତେ ପ୍ରଶାସନ ଆଗକୁ ସଜାଗ ନହେଲେ ଅଂଶୁଘାତ ଭଳି ଅନେକ ସମସ୍ୟା ଉପୁଜିବ ଏଥିରେ ତିଳେହେଲେ ସନ୍ଦେହ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.