ପାଣିମୁଣ୍ଡାରେ ସଂସ୍କାର ଭାରତୀ ପକ୍ଷରୁ ବୈଠକି ସଂକୀର୍ତ୍ତନ ସଙ୍ଗମ: ଅଞ୍ଚଳରେ ଭକ୍ତିମୟ ପରିବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନିଲେଶ କୁମାର ନାଗ): ସଂସ୍କାର ଭାରତୀ କଳାହାଣ୍ଡି ଜିଲ୍ଲାର ମାର୍ଗଦର୍ଶନରେ ଲାଞ୍ଜିଗଡ ବ୍ଲକ ପାଣିମୁଣ୍ଡା ଠାରେ ଏକ ବୈଠକୀ ସଂକୀର୍ତ୍ତନ ସଙ୍ଗମ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଗୋଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ପୁରାତନୀ ସଂଗୀତର ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇ, ସମ୍ପାଦକ ଦିଲୀପ କୁମାର ସା, ଜିଲ୍ଲା ଉପ ସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର ଓ ସଦସ୍ୟ ପ୍ରସନ୍ନ ଗୌଡିଆ ଉପସ୍ଥିତ ଥିଲେ।ପରବର୍ତ୍ତୀ ସମୟରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଓ ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ ଯୋଗଦାନ କରିଥିଲେ। ସାମ୍ପ୍ରତିକ ସମୟରେ କଳା ଓ ସଂଗୀତ ଅବକ୍ଷୟମୁଖୀ ହେଉଥିବା ବେଳେ ଏଭଳି ଆୟୋଜନ ପାଇଁ ସଂସ୍କାର ଭାରତୀ ଓ ପାଣିମୁଣ୍ଡା ଗ୍ରାମକୁ ଅତିଥିମାନେ ପ୍ରଶଂସା କରିଥିଲେ। ସଂସ୍କାର ଭାରତୀ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପରିଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମଧୁସୂଦନ ରାଉତ ଓ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ସନ୍ତୋଷ କୁମାର ଦାଶ ଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପାଣିମୁଣ୍ଡାର ସମସ୍ତ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.