ନଗର ସଂକୀର୍ତ୍ତନ୍ୟ ସହ ଭଗ୍ନ ହେଲା ଦଧିହାଣ୍ଡି
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ଚବିଶ ପ୍ରହର ନାମଯଜ୍ଞ ଗତ ରବିବାର ଠୁଁ ନାମ ଆରମ୍ଭ ହୋଇ ଆଜି ବୁଧବାର ସକାଳ ୬.୨୫ ରେ ପୂର୍ଣ୍ଣାହୂତି ପଡିଛି । ନାମ ଛାଡିବା ପରେ ଦଧିହାଣ୍ଡିକୁ ନେଇ ନଗର ପରିକ୍ରମା କରାଯାଇଥିଲା । ପୂଜା କର୍ତ୍ତା ବିଜୟାଲକ୍ଷ୍ମୀ ଭଞ୍ଜ ଓ ପରମା ଭଞ୍ଜ ଦମ୍ପତି ଦଧିହାଣ୍ଡି ବହନ କରି ନର୍ଲାର ସମସ୍ତଙ୍କ ଘରକୁ ଯାଇଥିଲେ । ନର୍ଲା ଜନସାଧାରଣ ମଧ୍ୟ ପ୍ରତି ଘରେ ଘରେ ଝୋଟି ଦେଇ, କଳସ ସ୍ଥାପନା କରି ଦଧିହାଣ୍ଡିକୁ କଳସକୁ ଧୂପ, ଦୀପ ଦେଇ ବନ୍ଦାପନା କରିଥିଲେ । ଦଧିହାଣ୍ଡି ବୁଲାଇବାରେ ଦିନ ୧୨ ଟା ବାଜିଯାଇଥିଲା । ସଂକୀର୍ତ୍ତନ ମଣ୍ଡଳୀକୁ ଦହି ପଣା, ଲେମ୍ବୁପାଣି ପ୍ରଭୃତି ଦେଇ ପ୍ରତି ଘରେ ଘରେ ସତ୍କାର କରୁଥିବା ଦେଖିବାକୁ ମିଳିଥିଲା । ଗତ ଦୁଇବର୍ଷ ଧରି ନର୍ଲାର ବହୁ ପ୍ରସିଦ୍ଧ ନାମଯଜ୍ଞ କରୋନା କଟକଣା ଯୋଗୁଁ ହୋଇପାରିନଥିଲା । ଚଳିତ ବର୍ଷ ଭବ୍ୟ ଆକାରରେ ଅନେକ ଉତ୍ସାହ, ଉଦ୍ଦୀପନା ନେଇ ୨୪ ପ୍ରହର ନାମଯଜ୍ଞର ଆୟୋଜନ କରିଥିଲା ଶ୍ରୀଶ୍ରୀ ଧବଳେଶ୍ୱର ନାମଯଜ୍ଞ ପରିଚାଳନା କମିଟି । ରବିବାର ଠାରୁ ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଜି ବୁଧବାର ସକାଳେ ଏହି ୨୪ ପ୍ରହର ନାମଯଜ୍ଞ ର ପୂର୍ଣ୍ଣାହୂତି ପଡିଛି । ଦହିହାଣ୍ଡି ନଗର ପରିକ୍ରମା କରିସାରି ପୁଣି ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦହିହାଣ୍ଡି ଭଙ୍ଗା ଯାଇଥିଲା । ଚଳିତ ବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ୯ ଗୋଟି ନାମକରା ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ମାନଙ୍କ ମଧ୍ୟ ସମାଗମ ଘଟିଥିଲା । ଲୋକେ ମନଭରି ସଂକୀର୍ତ୍ତନ ମଣ୍ଡଳୀ ଓ ଗୁରୁ ମାନଙ୍କ କଳାନୈପୁଣ୍ୟକୁ ମନଭରି ଉପଭୋଗ କରିଥିବା ଦର୍ଶକ ଓ ଭକ୍ତ ମହଲରୁ ଜଣାପଡିଛି । ପୂର୍ଣ୍ଣାହୂତି ପଡିବା ପରେ ବାହାରୁ ଆସି ନର୍ଲା ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିବା ୯ ଗୋଟି ସଂକୀର୍ତ୍ତ ମଣ୍ଡଳୀ ଗୁଡିକ ମଧ୍ୟ ନିଜ ନିଜ ଗାଁ କୁ ପ୍ରତ୍ୟାବର୍ତ୍ତନ କରିସାରିଥିବା କମିଟିର ସଭାପତି ଅଭୟ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଚଳି ବର୍ଷ ନାମଯଜ୍ଞ ପରିଚାଳନା ନିମନ୍ତେ ଉପସଭାପତି ଭାବରେ ତୁମେଶ୍ୱର ଭୋଇ, ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ଯୁଗ୍ମ ସଂପାଦକ ଭାବରେ କିଶୋର ମାଝୀ ତଥା ଅନ୍ୟାନ୍ୟ ପଦପଦବୀରେ ସରୋଜ କୁମାର ଚାନ୍ଦ୍, ସୁନୀଲ କୁମାର ଚାନ୍ଦ୍, ପୂର୍ଣ୍ଣ ପୂଝାରୀ, ବଡ ହଂସ, ସୁବୋଧ ମିଶ୍ର, ମୋହିତ ମିଶ୍ର, ଯଶୋବନ୍ତ ପୂଝାରୀ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂଜକ ଭାବରେ ନର୍ଲାର ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର, ଗିଗିନାର ଦୟା ବିଶି ଓ ଗୋପବନ୍ଧୁ ବେହେରା ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଜପକ ଭାବରେ ସୁଦାମ ପଣ୍ଡା, ପ୍ରଭୋବ କୁମାର ଚାନ୍ଦ୍ ଦାଇତ୍ୱ ନିର୍ବାହନ କରିଥିଲେ । ନର୍ଲା ଅଞ୍ଚଳ ବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗରେ ବହୁତ ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ଉହ୍ଲାସ ମଧ୍ୟରେ ସଫଳତାର ସହ ନର୍ଲାର ୨୪ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛି ନର୍ଲା ଶ୍ରୀ ଶ୍ରୀ ଧବଳେଶ୍ୱର ନାମଯଜ୍ଞ ପରିଚାଳନା କମିଟି ।