କେକେଏସ୍‌ ମହିଳା କଲେଜରେ ଅନୁଷ୍ଠିତ ହେଲା ‘ତୁଳନାର ଆଲୋକରେ ଫକୀରମୋହନ, ଗଙ୍ଗାଧର ଓ ରବୀନ୍ଦ୍ର ନାଥ’ ଶୀର୍ଷକ ପାଠଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅତିଥି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ତୁଳନାର ଆଲୋକରେ ଫକୀରମୋହନ, ଗଙ୍ଗାଧର ଓ ରବୀନ୍ଦ୍ର ନାଥ’ ଶୀର୍ଷକ ଉପରେ ନିୟନ୍ତ୍ରିତ ଅତିଥି ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଆଲୋକପାତ କରିଥିଲେ। ଅଧ୍ୟକ୍ଷା ଡକ୍ଟର ଝାନ୍‌ସୀ ଜେନା ସଭାପତିତ୍ୱ ଅଭିଭାଷଣ ରଖି ଫକୀରମୋହନ, ଗଙ୍ଗାଧର ଓ ରବୀନ୍ଦ୍ର ନାଥ କେବଳ ନିଜ ନିଜ ସମାଜ ଓ ସାହିତ୍ୟ ଭିତରେ ସୀମିତ ନଥିଲେ; ବରଂ ଭାରତୀୟ ତଥା ବିଶ୍ୱ ଜୀବନ ଦର୍ଶନକୁ ଏକ ନୂତନ ପଥ ପ୍ରଦର୍ଶନ କରାଇଥିଲେ ବୋଲି କହିଥିଲେ। ସାହିତ୍ୟ ଯେ ବିପଥଗାମୀ ସମାଜକୁ ଶୃଙ୍ଖଳିତ କରିବାରେ ସହାୟକ ହୋଇଥାଏ ବୋଲି ଡ. ଜେନା ବକ୍ତବ୍ୟ ରଖିଥିଲେ।

ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ରାଜକିଶୋର ପଣ୍ଡିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ଜୟନ୍ତ କୁମାର ପରିଡ଼ା ମଞ୍ଚ ଆହ୍ୱାନ କରିଥିଲେ। ନିମନ୍ତ୍ରିତ ଅତିଥି ପ୍ରଫେସର ମେହେର ତାଙ୍କ ବକ୍ତବ୍ୟରେ ‘ତୁଳନାର ଆଲୋକରେ ଫକୀରମୋହନ, ଗଙ୍ଗାଧର ଓ ରବୀନ୍ଦ୍ର ନାଥ’ଙ୍କ ଉପରେ ଗଭୀର ଆଲୋକପାତ କରିଥିଲେ। ଏହି କାଳଜୟୀ ଲେଖକମାନେ ପରସ୍ପର ଭେଟ ହେଇନଥିଲେ ମଧ୍ୟ ସେମାନଙ୍କର ଆତ୍ମିକ ଚେତନାରେ ସମାନତା ଓ ସଚେତନତା ପରିଲକ୍ଷିତ ହୁଏ ବୋଲି କହିଥିଲେ। ଈଶ୍ୱରୀୟ ମହାନୁଭବ ଚେତନା, ଭାଷାପ୍ରୀତି, ଜାତୀୟତା ପ୍ରୀତି, ଭୌତିକ ଓ ଆଦିଭୌତିକ ଚେତନାର ଊର୍ଦ୍ଧ୍ୱକୁ ଯାଇ ସେମାନେ କାଳଜୟୀ ସୃଷ୍ଟି ରଚନା କରିଯାଇଛନ୍ତି।

ସେହିପରି କୁନ୍ତଳା କୁମାରୀ ସାବତଙ୍କ କାଳଜୟୀ ସାହିତ୍ୟର ମୂଲ୍ୟାୟନ କରିଥିଲେ। କ୍ଷଣିକ ଜୀବନ ଭିତରେ ଆତ୍ମାଯେ କାଳଜୟୀ, ଯିଏ ଶେଫାଳି ପରି ଅକାଳେ ଝରିପଡ଼ିଥିଲେ ମଧ୍ୟ ତାର ପ୍ରତ୍ୟେକଟି ରେଣୁ ଆଜି ଓଡ଼ିଆ ବିଭାଗର ଛାତ୍ରୀଙ୍କ ଭିତରେ ନକ୍ଷତ୍ର ପରି ଜାଜ୍ଜୁଲ୍ୟମାନ ହେଉଛି ବୋଲି କହିଥିଲେ। ଅଧ୍ୟାପିକା ଡକ୍ଟର ଅର୍ଚ୍ଚନା ପଟ୍ଟାୟତ ଧନ୍ୟବାଦ ଦେଇଥିଲେ। ଅଧ୍ୟାପିକା ଶୁଭସ୍ମିତା ମହାପାତ୍ର, ପ୍ରିୟଙ୍କା ସ୍ୱାଇଁ, ଅଧ୍ୟାପକ ଅଭିମନ୍ୟୁ ବିଶ୍ୱାଳ, ଜିତେନ୍ଦ୍ରିୟ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପାଠଚକ୍ର ସମ୍ପାଦିକା ରାଜଶ୍ରୀ ରଣା, ସହ ସମ୍ପାଦିକା ଲକ୍ଷ୍ମୀପ୍ରିୟା ବର୍ଦ୍ଧନ, ଛାତ୍ରୀ ପ୍ରଜ୍ଞାପିପାସା ଦାସ, ନିକିତା ରାଉତ, ପଦ୍ମାବତୀ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.