‘ଯାଦବକୁଳ ମାନବ ସମାଜକୁ ନୂତନ ଦିଗଦର୍ଶନ ପ୍ରଦାନ କରିଛି’

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଯଦୁବଂଶର ବିସ୍ତୃତ ଐତିହାସିକ ପୃଷ୍ଠଭୂମି ରହିଛି। ବେଦ ଠାରୁ ଆରମ୍ଭ କରି ପୁରାଣ ଉପପୁରାଣ ପର୍ଯ୍ୟନ୍ତ ଯଦୁବଂଶର ଗୈାରବମୟ ଗାଥାରେ ମୁଖରିତ। ଭଗବାନ ଶ୍ରୀକୃଷ୍ଣ ଯାଦବ କୁଳରେ ଜନ୍ମ ହୋଇ ଏହି ଜାତିକୁ ଧନ୍ୟ କରିଦେଇଛନ୍ତି। ଯଦୁବଂଶର ଅନେକ ମହାମାନବଙ୍କ ସହ ଯଦୁପତି ଶ୍ରୀକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଦବ କୁଳ ମାନବ ସମାଜକୁ ଶାନ୍ତି, ମୈତ୍ରୀ, ଦୟା, କ୍ଷମା ସହ ବୀରତ୍ବ ଓ ଜାତିପ୍ରୀତିର ନୂତନ ଦିଗଦର୍ଶନ ପ୍ରଦାନ କରିଛି। ଯାଦବମାନେ ପୂର୍ବେ ଆର୍ଯ୍ୟବର୍ତ୍ତର ବିଭିନ୍ନ ଦେଶରେ ଶାସନ କରୁଥିଲେ। ତେବେ ସମୟର ନିଷ୍ଠୁର ପରିବର୍ତ୍ତନରେ ଏହି ଜାତି ତା’ର ପୂର୍ବ ଗୌରବକୁ ଭୁଲିବାରେ ଲାଗିଛି, ତେଣୁ ଯାଦବମାନେ ସୁସଂଗଠିତ ହୋଇ ସମସ୍ତ କ୍ଷେତ୍ରରେ ନିଜ ଅଧିକାର ସାବ୍ୟସ୍ତ କରିବା ଜରୁରୀ ବୋଲି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମତ ପ୍ରକାଶ ପାଇଛି।

କେସିଙ୍ଗା ଅଗ୍ରସେନ ଭବନଠାରେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟୀ ଯାଦବ ଲୋକପ୍ରତିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୈ।ରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଉତ୍କଳ ଯାଦବ ମହାସଭାର ଉପସଭାପତି ସକିତ ରତେ, ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ, ସମ୍ପାଦକ ଧନେଶ୍ଵର ଭାଟି,

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ଯାଦବ ମହାସଭା ଉପସଭାପତି ତଥା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଅରୁପାନନ୍ଦ ନାଗ ଓ ନରେନ୍ଦ୍ର ବାଗ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ମହିଳା ଶାଖା ସଭାନେତ୍ରୀ ଇଲା ସେଲମା, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ବରିଷ୍ଠ ଯାଦବ ନେତୃତ୍ୱ ମହେନ୍ଦ୍ର ନାଏକ, ଟଙ୍କଧର ଭୋଇ, ଜହରଲାଲ ବାଗ ଏବଂ ମୀନକେତନ ବାଗ ଯୋଗଦେଇ ଯାଦବ ଲୋକପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ  ବ୍ଲକ ସଭାପତି, ଏନ୍ଏସି ସଭାପତି,  ଜିଲ୍ଲା ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା କାର୍ଯ୍ୟକର୍ତ୍ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଯୁବ ସାହିତ୍ୟିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିଲେ।

ଶେଷରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୫୦ରୁ ଉର୍ଦ୍ଧ୍ୱ ଲୋକପ୍ରତିନିଧି ସମ୍ବର୍ଦ୍ଧିତ ହୋଇଥିଲେ। ସମାରୋହରେ ୧୩ଟି ବ୍ଲକ ସମିତିର କାର୍ଯ୍ୟକର୍ତ୍ତା ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯାଦବମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.