ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସାମାଜିକ ନିରାପତ୍ତା ଯୋଜନା ଅଧିନ ଭତ୍ତା ବଣ୍ଟନରେ ଦେଓଗାଁ ଗ୍ରାମ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେବେ ତଦନ୍ତ ପରେ ଏହି ଘଟଣାର କୈାଣସି ସତ୍ୟତା ନାହିଁ ଏବଂ ଏହା ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଥିବା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରାପ୍ତ ସୂଚନା ଆଧାରରେ, କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତରେ ୪୪୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଉଛି। ତେବେ ଏହି ପଞ୍ଚାୟତର ୩୪ ଜଣ ହିତାଧିକାରୀ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେମାନଙ୍କ ଭତ୍ତା ବାବଦକୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଥିବା ନେଇ ଗ୍ରାମର କେତେକ ଲୋକ ଅଭିଯୋଗ ଉଠାଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗାଭାଲି ପରାଗ ହର୍ଷଦ ଏହି ଘଟଣାର ତଦନ୍ତ ପାଇଁ କେସିଙ୍ଗା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ବୁଧବାର ଦିନ ବ୍ଲକର ୭ଜଣ କର୍ମଚାରୀଙ୍କୁ ତଦନ୍ତ ପାଇଁ ଦେଓଗାଁ ଗ୍ରାମ ପଞ୍ଚାୟତକୁ ପଠାଇ ଥିଲେ।
ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ୱାର୍ଡ଼ ସଭ୍ୟ, ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବ୍ଲକର ୭ଜଣିଆ ଟିମ ୩୪ ଜଣ ହିତାଧିକାରୀଙ୍କ ବିଷୟରେ ତନ୍ନ ତନ୍ନ କରି ତଦନ୍ତ କରିଥିଲେ । ଦେଓଗାଁର ହୃଦାନନ୍ଦ ସୁନା, ସରସ୍ୱତୀ ଶବର, ମାଟିଆ ଗ୍ରାମର କୁମାରୀ ମାଝୀ, ନିରୂପମା ରଣା ଏହି ୪ଜଣ ଜୀବିତ ବ୍ୟକ୍ତିଙ୍କୁ ମରିଯାଇଥିବା ଦର୍ଶାଯାଇଛି ଏବଂ ଏମାନଙ୍କ ଭତ୍ତା ଟଙ୍କା ହଡ଼ପ କରାଯାଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇ ଥିଲା। କିନ୍ତୁ ଏହି ଚାରି ଜଣ ଜୀବିତ ଥିବା ତଦନ୍ତକାରୀ ଅଫିସରମାନେ ଏକ ରିପୋର୍ଟ କେସିଙ୍ଗା ବିଡିଓଙ୍କୁ ଦାଖଲ କରିଛନ୍ତି। ଏହାସହ ଦେଓଗାଁ, ମାଟିଆ, ମହଗାଁ, ଜାମଜୋର ଗ୍ରାମର ୩୦ଜଣ ହିତାଧିକାରୀ ଗତ ୨୦୧୭ରୁ ଜାନୁଆରୀ ୨୦୨୨ ମଧ୍ୟରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ପରେ ସେମାନଙ୍କୁ ଆଉ ଭତ୍ତା ଟଙ୍କା ଦିଆ ଯାଇ ନାହିଁ ବୋଲି ରିପୋର୍ଟ ଦାଖଲ ହୋଇଛି। ମାଟିଆ ଗ୍ରାମର ଖଗପତି ଗୌଡ଼, ମହଗାଁର ଚନ୍ଦ୍ରଭାନୁ ହରିଜନଙ୍କୁ କୋଭିଡ଼ ପାଇଁ ୪ମାସର ଆଗୁଆ ଭତ୍ତା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ପ୍ରଦାନ କରାଯାଇଛି ବୋଲି ତଦନ୍ତକାରୀ ଦଳ ବିଡ଼ିଓଙ୍କ ପାଖରେ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି।
କେସିଙ୍ଗା ବ୍ଲକର ଆକାଉଣ୍ଟ ଅଫିସର କରୁଣା କରସାମିନି, ଜିପିଓ ଜୟନ୍ତ କୁମାର ମୁଣ୍ଡ, ପିଇଓ ଅଖିଳ ଚନ୍ଦ୍ର ଶବର ପ୍ରମୁଖଙ୍କ ଏହି ତଦନ୍ତ ସମୟରେ ଦେଓଗାଁ ଅଙ୍ଗନୱାଡ଼ି କର୍ମୀ, ସ୍ଥାନୀୟ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ଆଶିକା ଶବର, ନରେନ୍ଦ୍ର ଶବର, ଗଜିନ୍ଦ୍ର ଶବର, ଜୟ ଧର ଶବର, ହୀରଣ୍ୟ ଶବର ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
ଦେଓଗାଁ ପଞ୍ଚାୟତରେ ଭତ୍ତା ହଡପ ଅଭିଯୋଗ ପ୍ରସଂଗକୁ ନେଇ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ପଚାରିବାରୁ ଏହା ଏକ କପୋଲୋ କଳ୍ପିତ ଏବଂ ଭିତ୍ତିହୀନ ଘଟଣା ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦେଓଗାଁ ଗ୍ରାମ ପଞ୍ଚାୟତର ପିଇଓ ଆନନ୍ଦ ମହାନନ୍ଦଙ୍କୁ ବଦନାମ କରିବା ପାଇଁ ଏପରି ଭିତ୍ତିହୀନ ଅଭିଯୋଗ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତେବେ ତଦନ୍ତ ରିପୋର୍ଟ ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇଛି ଓ ଭତ୍ତା ବଣ୍ଟନରେ କୈାଣସି ଦୁର୍ନୀତି କିମ୍ବା ଅନୀୟମିତତା ହୋଇନଥିବା ସ୍ପଷ୍ଟ ହୋଇଯାଇଛି।




