ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜ ତରଫରୁ ସମାଜର ଜଣେ ପ୍ରତିଷ୍ଠିତ ପ୍ରତିଭାଙ୍କୁ ଚୟନ କରି ଖାଲି ପଡ଼ିଥିବା ଓଡ଼ିଶାର ଚାରି ଗୋଟି ରାଜ୍ଯସଭା ସଦସ୍ଯ ମଧ୍ଯରୁ ଗୋଟିକରେ ପ୍ରାର୍ଥୀ କରି ରାଜ୍ଯସଭାକୁ ପ୍ରେରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆବେଦନ କରାଯାଇଛି। ଗତ ଗୁରୁବାର ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଫାଇବ୍-ଟି ସଚିବ ଭି.କେ. ପାଣ୍ତିଆନ ଏବଂ ବିଜେଡ଼ି ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ ପ୍ରେରଣ କରାଯାଇଥିବା ବେଳେ ଆଜି ସିନାପାଲି ସ୍ଥିତ ଏସଏସକେପି ଷ୍ଟୁଡ଼ିଓ ଠାରେ ସମାଜ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଡକା ଯାଇ ଗଣମାଧ୍ଯମ ଜରିଆରେ ପୁଣି ଥରେ ସରକାରଙ୍କୁ ନିବେଦନ କରିଛନ୍ତି। ମେହେର ଜାତି ପ୍ରତିଭାବନ୍ତ କାରିଗରୀ ଜାତି ହୋଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ବାନ୍ଧକଳା ଓ ସମ୍ୱଲପୁରୀ ଶାଢ଼ିକୁ ବିଶ୍ୱଦରବାରରେ ପହଂଚାଇବାରେ ଏ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଛି। ଏଥିସହ କଳା, ସାହିତ୍ଯ, ରାଜନୀତି, କୃଷି ଆଦି ଅନେକ କ୍ଷେତ୍ରରେ ମଧ୍ଯ ଏ ଜାତିର ପ୍ରତିଭାମାନେ ଶ୍ରେଷ୍ଠତ୍ୱ ଲାଭ କରି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିପାରିଛନ୍ତି। ଏଭଳି ସ୍ଥଳରେ ଏଜାତିର ଜଣେ ଯୋଗ୍ଯ ବ୍ଯକ୍ତିଙ୍କୁ ଆଗାମୀ ରାଜ୍ଯସଭା ନିର୍ବାଚନରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ଯସଭା ସଦସ୍ଯ ଭାବରେ ସଦନକୁ ପ୍ରେରଣ କରାଗଲେ ଏହା ଉତ୍କଳୀୟ ସଂସ୍କୃତିକୁ ଅଧିକ ବ୍ଯାପ୍ତ କରିପାରିବ ବୋଲି ନିଖିଳ ଓଡ଼ିଶା ମେହେର ସମାଜର ରାଜ୍ଯ ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର ମତ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜିର ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ରାଜ୍ଯ ଉପଦେଷ୍ଟା ଡମ୍ୱରୁଧର ମେହେର, ନୂଆପଡ଼ା ଜିଲ୍ଲା ଉପଦେଷ୍ଟା ନୀଳମଣି ମେହେର, ସମାଜସେବୀ ଟେଣୋ ମେହେର, ପୂର୍ବ ଜିଲ୍ଲାପରିଷଦ ସଭ୍ଯ ପ୍ରିୟରଞ୍ଜନ ମେହେର, ଜିଲ୍ଲା ସଂପାଦକ ରୂପେଶ ଚନ୍ଦ୍ର ମେହେର, ପୂର୍ବ ସଂପାଦକ ନବୀନ ଚନ୍ଦ୍ର ମେହେର, ସ୍ତମ୍ଭକାର ବୈଷ୍ଣବ ମେହେର, ଆଇନଜୀବୀ ନୀଲାଞ୍ଚଳ ମେହେର, ସଙ୍ଗୀତଜ୍ଞ ତ୍ରୀନାଥ ମେହେର, ରୂଷଭ ମେହେର, ଜିଲ୍ଲା ମେହେର ଯୁବ ସଂଯୋଜକ ଆଲୋକ ମେହେର, ସୂରଜ ମେହେର, ଶିବପ୍ରସାଦ ମେହେର, ସାନୁର୍ଯ୍ଯ ମେହେର, ପ୍ରବୀଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ।