ଜଳଦ ଗୋଠଟି ବ୍ୟୋମ ପଥୁ ଖସି,
ନଦୀ ପର୍ବତକୁ ହରଷେ ଧୁଏ ।
ଭସା ବଉଦର ବଳକା ଖଣ୍ଡଟି,
ନୀଳ ଗଗନରେ ଅସ୍ଥିର ହୁଏ !
ବିଶାଳ ନଭର ଦିଶାହୀନ କାୟା,
କାଳର ପବନ କରେ ଅଥୟ,
ଅସହାୟ ହୁଏ ଗୋଠ ଛଡ଼ା ହୋଇ,
ସମୟ ବି ହୁଏ କେଡେ ନିର୍ଦୟ !
ରଙ୍ଗ ତାର ଶ୍ଵେତ ରୂପ ଅନୁପମ,
ବଦନରେ ନାହିଁ କଳଙ୍କ କିଛି,
ତଥାପି କାହିଁକି ପୁଣ୍ୟତାରେ ଭରା,
ଜଳଧର ହୃଦେ କୋହ ଭରିଛି ?
ପଚାରେ ମୁଁ ତାକୁ “ତୁମେ ଅନ୍ୟତମ,
ଜନ୍ମ ତୁମର ସାର୍ଥକ ସଂସାରେ ।
ତଥାପି କ୍ଷୋଭକୁ ରଖିଛ ହୃଦୟେ,
କେଉଁ କାରଣେ ପଚାରି କି ପାରେ ?”
ଉଡି ଯାଉ ଯାଉ କହିଦିଏ ପଦେ,
ଦିଏ ବୁଝେଇ ଜୀବନର ମର୍ମ,
“ବୃଥା ହୁଏ ଜନ୍ମ, ବ୍ୟର୍ଥ ହୁଏ ଶ୍ରମ,
ପାଳି ନ ପାରିଲେ ନିଜର ଧର୍ମ !
ମେଘ ଜନ୍ମ ନେଇ ସାରା ଆକାଶରେ,
ଉଡିବାର ସ୍ଵପ୍ନ ଯେତିକି ମିଠା,
ପଥ ହରା ହୋଇ ନ ବରଷିବାର,
ଅନୁଭୁତିଟିଏ ସେତିକି ଖଟ୍ଟା ! “