ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନିଜସ୍ଵ ପ୍ରକଳ୍ପ ମିଶନ ସୂର୍ଯ୍ୟୋଦୟ:  ଗଡି଼ଲା ମିଶନ ସୂର୍ଯ୍ୟୋଦୟ ରଥ, ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ପ୍ରଶାସନ ତଥା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ କଳ୍ପନା ପ୍ରସୂତ ନିଜସ୍ବ କାର୍ଯ୍ୟକ୍ରମ ମିଶନ ସୂର୍ଯ୍ୟୋଦୟ ଆଜି ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଶନ ସୂର୍ଯ୍ୟୋଦୟ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏ ଅବସରରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ ପ୍ରକାଶ, ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନ, ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜିତ କୁମାର ପରିଡା ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଲକ ଅଞ୍ଚଳର ମନରେଗା ଶ୍ରମିକମାନଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ସମେତ ଅତିଥିମାନେ ବ୍ଲକର ୨୬ଗୋଟି ପଞ୍ଚାୟତ ପାଇଁ ପ୍ରସ୍ତୁତ ହୋଇଥିବା ୨୬ଗୋଟି ସୁସଜ୍ଜିତ ମିଶନ ସୂର୍ଯ୍ୟୋଦୟ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ବ୍ଲକର ୨୬ଗୋଟି ପଞ୍ଚାୟତର ବିଭିନ୍ନ ଗାଁକୁ ପରିକ୍ରମା କରିବା ସହିତ ଲୋକଙ୍କୁ ମନରେଗା ଯୋଜନା ସଂପର୍କରେ ସଚେତନ କରାଇବ । ସେହିପରି ବ୍ଲକ ଅଞ୍ଚଳର ଦାଦନ ସମସ୍ୟା ରୋକିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ୨୬ଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ଗାଁସାଥୀ ଓ ବହୁସଂଖ୍ୟାରେ ମନରେଗା ଶ୍ରମିକମାନେ ସାମିଲ ହୋଇଥିଲେ । ଏହା ସହିତ କମ୍ବୁପାଣି ସିଂହ, ବାମଣା ମାଝୀ, ଶୁକ୍ରୁ ମାଝୀ, ନରେନ୍ଦ୍ର ବେହେରା, ମଧୁସୂଦନ ବାଗ, ଶଙ୍କର ଦଣ୍ଡସେନା ପ୍ରମୁଖଙ୍କ ନେତୃତ୍ୱରେ ଏକ ସାଂସ୍କୃତିକ ଦଳ ମିଶନ ସୂର୍ଯ୍ୟୋଦୟ ତଥା ମନରେଗା ଯୋଜନା ସଂପର୍କରେ ନୃତ୍ୟ, ଗୀତ ଓ ଅଭିନୟ ମାଧ୍ୟମରେ ସଚେତନ କରିବେ ଏବଂ ଏ ସାଂସ୍କୃତିକ ଦଳ ଆଜି ମିଶନ ସୂର୍ଯ୍ୟୋଦୟ ରଥ ସହିତ ବିଭିନ୍ନ ଅଞ୍ଚଳ ପରିକ୍ରମା କରିବେ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.