ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ତଥା ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ପୁଜୁଗୁଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଧାନ ଖଳାରେ ଶୋଇଥିବାବେଳେ ଜଙ୍ଗଲୀ ହାତୀ ଆକ୍ରମଣରେ ବୃଦ୍ଧ ଖଗେଶ୍ବର ଗଉଡ଼ଙ୍କ ମୃତ୍ୟୁ ଘଟିଥିଲା । ଏହା ସହିତ ଗାଁର ଚନ୍ଦନ ଗଉଡ଼, ବିଭୁ ଗଉଡ଼ ନାମକ ଜଣେ ନାବାଳ ଗୁରୁତର ହୋଇଥିବାବେଳେ ରାଜେନ୍ଦ୍ର ଓ ମନୋଜ ମଧ୍ୟ ଆହତ ହୋଇଥିଲେ। ଗୁରୁତର ଓ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରବିବାର ସେମାନେ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୃତ ଓ ଆହତଙ୍କ ଖବର ଶୁଣି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ପୁଜୁଗୁଡା ଗାଁକୁ ଆସି ପରିବାର ଲୋକଙ୍କୁ ସ୍ବାନ୍ତନା ଏବଂ କିଛି ଆର୍ଥିକ ସହାୟତା ଦେଇଥିଲେ । ଏହି ଦୁଃଖଦ ଅବସ୍ଥାରେ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ, ଜୋନ୍ ୧ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ପହାଡପଦର ପଞ୍ଚାୟତ ସମିତି ସଭ୍ୟ ଜଗଦୀଶ ବେନିଆଁ, ବିଜେଡ଼ି ଯୁବ ସଭାପତି ଡିଲେଶ କୁମାର ନାଗ ଏବଂ ବିଶ୍ଵନାଥ ପୁର ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ ଉପସ୍ଥିତ ଥିଲେ । ବନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଶୀଘ୍ର ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରିବି ବୋଲି ବିଧାୟକ ଦିଶାରୀ ପ୍ରତିଶ୍ରୁତି ଦେଇଛନ୍ତି ।