ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଯୁଗସାଇପାଟଣା ସ୍ଥିତ ସୁଭଦ୍ରା କ୍ଷେତ୍ରର ପ୍ରତିଷ୍ଠା ଦିବସ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଭବାନୀପାଟଣା ଦିବ୍ୟ ଜୀବନ ସଂଘ ତଥା ଜିଲ୍ଲାର ଅନ୍ୟ ଅଞ୍ଚଳରେ ସ୍ଥିତ ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଗୁରୁଭାଇ ଭଉଣୀମାନଙ୍କ ଦ୍ୱାରା ପ୍ରଥମେ ଗୁରୁ ପାଦ ପୂଜା ଅନୁଷ୍ଠିତ ହୋଇଥିଲା। ତା’ପରେ ସଭାପତି ପ୍ରଫେସର ରଜନୀକାନ୍ତ ବେହେରାଙ୍କ ସଭାପତିତ୍ବରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ବିକ୍ରାନ୍ତ ଶେଖର ବିଶି ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ଖମାରୀ ବାର୍ଷିକ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଗୁରୁଭାଇ ପଦ୍ମଲୋଚନ ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ। ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ୩୫ ବର୍ଷ ତଳେ ଏହିଦିନ ପବିତ୍ର ସୁଭଦ୍ରା କ୍ଷେତ୍ରର ପ୍ରତିଷ୍ଠା ପୂଜ୍ୟ ସ୍ୱାମୀ ଚିଦାନନ୍ଦଜୀ ମହାରାଜାଙ୍କ ଦ୍ଵାରା କରାଯାଇଥିଲା। ସେଥିପାଇଁ ପ୍ରତିବର୍ଷ ଏହି ଦିନକୁ ଦିବ୍ୟ ଜୀବନ ସଂଘ ଦ୍ୱାରା ସୁଭଦ୍ରା କ୍ଷେତ୍ର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ। ପରିଶେଷରେ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।