ଓଡ଼ିଆ ବାର୍ତ୍ତା/ ମୁଲୁଣ୍ଡ: ଆଜି ବି ଯୌତୁକର ପ୍ରଲୋଭନ ଲୋକଙ୍କୁ କ୍ରୁର କରିଦେଉଛି । ଯୌତୁକ ପାଇଁ ଜୀବନ ନେବାକୁ ବି ପଛାଉ ନାହାଁନ୍ତି ଲୋକେ । ଏଭଳି ଘଟଣା ମୁମ୍ବାଇର ଉପନଗରୀ ମୁଲୁଣ୍ଡରୁ ଆସିଛି । ଲଖନ୍ ଗାଇକ୍ୱାର୍ଡ ନାମକ ଜଣେ ପୂର୍ବତନ ଦମକଳ କର୍ମଚାରୀ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡ଼ି ମାରି ଦେଇଥିଲେ। ପରେ ଗାଇକ୍ୱାଡ୍ଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା । ଦାଖଲ କରିଥିବା ସତ୍ୟପାଠରେ ପୀଡ଼ିତାଙ୍କ ମାଆ ଅଦାଲତଙ୍କୁ ସୂଚନା ଦେଇଥିଲେ ଯେ, ବିବାହ ସମୟରେ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ, କିନ୍ତୁ ସେ ଦେଇ ପାରି ନ ଥିଲେ। ତେଣୁ, ଗାଇକ୍ୱାର୍ଡ ଓ ତାଙ୍କ ପରିବାର ମନୀଷାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଇଥିଲେ । ମନୀଷାଙ୍କୁ ଉପବାସ ରଖାଇବା ସହ ଲୁଗାପଟା ବି ଦେଉ ନ ଥିଲେ । ସ୍ତ୍ରୀ ମନୀଷାଙ୍କୁ ଗାଇକ୍ୱାଡ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ୨୦୧୭ ଅକ୍ଟୋବରରେ ଅଭିଯୁକ୍ତ ସ୍ତ୍ରୀଙ୍କ ଉପରେ ଥିନର୍ ଢାଳି ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରିଦେଇଥିଲେ । ଓକିଲ ଗୀତା ଶର୍ମାଙ୍କ ନେତୃତ୍ବରେ ଏହି ମାମଲାର ବିଚାର ଚାଲିଥିବାବେଳେ ଅତିରିକ୍ତ ସେସନ୍ ଜଜ୍ ଏ. ବି. ଶର୍ମା ଅଭିଯୁକ୍ତ ଲଖନ୍ ଗାଇକ୍ୱାର୍ଡଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ । ସ୍ତ୍ରୀକୁ ପୋଡ଼ି ମାରିଥିବା ଦୋଷରେ ଗାଇକ୍ୱାର୍ଡଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୭୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଛି । ତେବେ ଏହି ମାମଲାରେ ମନୀଷାଙ୍କ ଶାଶୂଶଶୁରଙ୍କ ସମେତ ଆଉ ୪ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି ।