ଚୋରିକୁ ନେଇ ଭୟରେ ସହରବାସୀ; ରାୟଗଡାରେ ସିସିଟିଭି ବ୍ୟବସ୍ଥାରେ କାହିଁକି ବିଳମ୍ବ କାହିଁକି?

• ସିସିଟିଭି କଂଟ୍ରୋଲ ରୁମ୍ ହୋଇପାରିନାହିଁ କାର୍ଯ୍ୟକ୍ଷମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପୈାରାଂଚଳରେ ଚୋରି, ରାହାଜାନି, ଡକାୟତି ଓ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଭଳି ଅପରାଧିକ ମାମଲା ଏବଂ ସଡକ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗତ ୫ମାସ ତଳେ ୨୦୨୨ ଅକ୍ଟୋବର ମାସ ୨୦ତାରିଖରେ ସହରରେ ସିସିଟିଭି କ୍ୟାମେରା ଅବସ୍ଥାପିତ କରାଯିବାର ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଆଉ ଏହି ପ୍ରକଳ୍ପ ୨୦୨୨ ଡିସେମ୍ବର ମାସ ଯାଏଁ ୩ମାସ ମଧ୍ୟରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଠାରୁ ଆହୁରି ୨ମାସ ଅଧିକ ବିତି ଯାଇଥିଲେ ମଧ୍ୟ ସହରରେ ସିସିଟିଭି କ୍ୟାମେରା ଅବସ୍ଥାପିତ ହୋଇ ନ ପାରିଥିବାରୁ ଏହାର ସୁଯୋଗ ନେଇ ଦୁର୍ବୁତମାନେ ଦିବା ଲୋକରେ ତଥା ରାତ୍ରକାଳରେ ତାଲା ପଡିଥିବା ଘରେ ହେଉ ଅଥବା ଲୋକେ ରହୁଥିବା ଘରେ ଚୋରି, ଡକାୟତି ସହ ପ୍ରାତଃଭ୍ରମଣ କିମ୍ବା ଫୁଲ ତୋଳୁଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ଭଳି ମାମଲା ଅଧିକ ଦେଖିବାକୁ ମିଳିଲା। ଏ ନେଇ ରାୟଗଡା ଥାନା ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ଦୁର୍ବୁତଙ୍କୁ ଧରିବାରେ ଅନେକାଂଶ ମାମଲାରେ ପୋଲିସ ବିଫଳ ହେଇଥିବା ବେଳେ କାଁ ଭାଁ କିଛି ଟା ମାମଲାରେ ସଫଳ ହୋଇପାରିଥିଲେ। ତେବେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହୋଇଥିଲେ ସିସିଟିଭି ଫୁଟେଜକୁ ଆଧାର କରି ଏତେଗୁଡିଏ ଚୋରି,ଡକାୟତି ଭଳି ମାମଲା ନିୟନ୍ତ୍ରଣକୁ ଆସିବା ସହ ଦୁର୍ବୁତମାନଙ୍କୁ ଚିହ୍ନଟ କରିବାରେ ପୋଲିସକୁ ମଧ୍ୟ ସହଜ ହୋଇପାିରଥାନ୍ତା ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରୁଛନ୍ତି। ଏହି ସିସିଟିଭି କ୍ୟାମେରା ଅବସ୍ଥାପିତ ପ୍ରକଳ୍ପର ବ୍ୟୟ ଅଟକଳ ପାଖାପାଖି ୪୮ଲକ୍ଷ ଟଙ୍କା ହୋଇଥିବା ବେଳେ ସହରର ମୁଖ୍ୟ ଛକ ସହ ଜାତୀୟ ରାଜପଥ ଭଳି ୪୨ଟି ସ୍ଥାନରେ ୧୦୪ଗୋଟି ସିସିଟିଭି କ୍ୟାମେରା ଲଗାଯିବ ବୋଲି ପୈାର ନିର୍ବାହୀ ଅଧିକାରୀ ୟାଶିର ବିଲାଲ୍ ଅହମ୍ମଦ ପ୍ରକାଶ କରିଥିବା ବେଳେ ରାୟଗଡା ପୋଲିସ ଥାନା ପରିସରରେ ଏହାର କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ତେବେ କଂଟ୍ରୋଲ ରୁମରେ ସମସ୍ତ ସର୍ଭର ସହ ମନିଟରଗୁଡିକ ସ୍ଥାପିତ କରାଯାଇଥିବା ବେଳେ ଅନ୍ୟ କିଛି ଟେକ୍ନିକଲ୍ କାମ ରହିଥିବାରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଥିବା ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ଅପରପକ୍ଷେ ରାୟଗଡା ସହରରେ କାଁ ଭାଁ କିଛି ଲୋକଙ୍କ ଘରେ ତଥା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଅନେକ ସାହିଗଳିରେ, ବଡ ବଡ କୋଠାଘର, ଆପାର୍ଟମେଂଟ ଆଦିରେ ସିସିଟିଭି କ୍ୟାମେରା ଲଗାଯାଉ ନ ଥିବାରୁ ଚୋରି, ଡକାୟତି ତଥା ଅନ୍ୟାନ୍ୟ ମାମଲାରେ ପୋଲିସକୁ ଦୁର୍ବୁତଙ୍କୁ ଚିହ୍ନଟ କରିବା ତଥା ତଦନ୍ତ ପ୍ରକ୍ରିୟାରେ ଅଧିକ ବିଳମ୍ବ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଯଥାଶୀଘ୍ର ସିସିଟିଭି କ୍ୟାମେରା ଭଳି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ସହରବାସୀ ଦାବି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.