ରାୟ ରଘୁନାଥପୁର ଯାଦବ ସଂଘ ପକ୍ଷରୁ ଲଉଡ଼ି ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଉକୁନ୍ଦରା ସ୍ଥିତ ନାରାୟଣୀ ପୀଠଠାରେ ରାୟ ରଘୁନାଥପୁର ଯାଦବ ସଂଘ ପକ୍ଷରୁ ୧୭ତମ ଲଉଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଧୀରରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଳକା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ ବେହେରା, ମୁଖ୍ୟ ବକ୍ତା ଭାବେ ବିରିଡ଼ି ବ୍ଲକ୍ ଆଇସିଡିଏସ ଏସଡିପିଓ ନଳିନୀ ବେହେରା, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରଶେଖର ଦାସ, ସାମାଜିକ କର୍ମୀ ଗୟାଧର ମହାନ୍ତି, ଏବିଇଓ ପ୍ରକାଶ ଦାସ, ଆଡ଼ଭୋକେଟ୍ ରଶ୍ମିକାନ୍ତ ବେହେରା ଓ ମକରଧ୍ବଜ ଉତରାସିଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହୋତ୍ସବରେ ହରିଶପୁର, ପାକନପୁର, ବ୍ରାହ୍ମଣବାଡି, ବାଲିନଟିଆ, ରଘୁନାଥପୁର, ବାଘୁଆବାରି, ନରଣପୁର, ଏରଞ୍ଚ, ପୂରଣ ଓ ପଦ୍ମପୁର ପ୍ରମୁଖ ମୋଟ ୯ଗୋଟି ଲଉଡ଼ି ଦଳ ଅଂଶ ଗ୍ରହଣ କରିଥିଲେ । ସମ୍ପାଦକ କେଶବ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଉତ୍କଳ ଯାଦବ ମହାସଭା ସଦସ୍ୟ ତଥା ଶିଶୋ ଯାଦବ ସଂଘ ସଭାପତି ରାଧାକୃଷ୍ଣ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା । କେଉଁ ଏକ ସ୍ମରଣାତିତ କାଳରୁ ଗୋପାଳମାନେ ଲଉଡ଼ି ଖେଳ ଖେଳି ଆସୁଛନ୍ତି । ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପ ବାଳକଙ୍କ ସହ ଲଉଡି ଖେଳୁଥିଲେ । ସାରା ଭାରତବର୍ଷର ଯାଦବମାନଙ୍କ ଏହା ପାରମ୍ପରିକ କ୍ରିଡ଼ା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ପ୍ରଦର୍ଶିତ ହୋଇଥାଏ ଲଉଡି ଖେଳ । ମାନବ ଜାତିକୁ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନା ଦେବାରେ ଲଉଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପବିତ୍ର ଦୋଳ ଉତ୍ସବରେ ପାରମ୍ପରିକ ଲଉଡ଼ି ଖେଳ ପରିବେଷଣ ଗୋପାଳ ସମାଜର ଏକ ଆଦର୍ଶ ପରମ୍ପରା ତେଣୁ ଏହି ପ୍ରାଚୀନ ପରମ୍ପରାର ସଂରକ୍ଷଣ ଜରୁରୀ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ପ୍ରତିଯୋଗିତା ମୂଳକ ଲଉଡ଼ି ମହୋତ୍ସବରେ ପଦ୍ମପୁର ପ୍ରଥମ, ହରିଶପୁର ଦ୍ଵିତୀୟ ଓ ପାକନପୁର ଲଉଡ଼ି ଦଳ ତୃତୀୟ ଭାବେ ବିବେଚିତ ପୁରସ୍କୃତ ହୋଇଥିଲେ । ଶେଷରେ ଆଡ଼ଭୋକେଟ୍ ରଶ୍ମିକାନ୍ତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.