ସନ୍ତୋଷ କୁମାର କର
ଏ ପର୍ଯ୍ୟନ୍ତ ଯାହା ସୂଚନା ଅଛି ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁ ଥିରେ ଜୀବନର ସତ୍ତା ରହିଛି । ଜଳବାୟୁ ଓ ପ୍ରାକୃତିକ ସମ୍ପଦର ଅପୂର୍ବ ସମନ୍ୱୟ ଓ ସନ୍ତୁଳନ ଯୋଗୁଁ ପୃଥିବୀରେ ଜୀବମାନଙ୍କର ସ୍ଥିତି ସମ୍ଭବ ହୋଇପାରିଛି । ସମସ୍ତ ଜୀବ ବଂଚି ରହିବା ପାଇଁ ବିଭିନ୍ନ ଭୌତିକ ଓ ଜୈବିକ ଉପାଦାନ ଆବଶ୍ୟକ କରିଥାନ୍ତି ଯାହା କି ପୃଥିବୀରେ ଉପଲବ୍ଧ ହେଇଥାଏ । ଜୀବର ଜୀବନ ଧାରଣ ପାଇଁ ସମସ୍ତ ଦରକାରୀ ପଦାର୍ଥ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପରିବେଶରୁ ହିଁ ପାଇଥାଏ । କିନ୍ତୁ ନିଜକୁ ସବୁଠୁ ବୁଦ୍ଧିମାନ ତଥା ସର୍ବଶ୍ରେଷ୍ଠ ଭାବୁଥିବା ମଣିଷ ନିଜର ସ୍ୱାର୍ଥ ସାଧନ ପାଇଁ ପରିବେଶର ଉପାଦାନ ଗୁଡିକୁ ଅଧିକରୁ ଅଧିକ ବ୍ୟବହାର କରୁଛି । ଫଳରେ ପ୍ରକୃତି ତାର ଭାରସାମ୍ୟ ହରାଇବାରେ ଲାଗିଛି । ମାନବ ସମାଜର ବିକାଶ ସଙ୍ଗେସଙ୍ଗେ ପ୍ରାକୃତିକ ସମ୍ପଦର ଅତିରିକ୍ତ ବ୍ୟବହାର ତଥା ଅପବ୍ୟବହାର ଦ୍ୱାରା ପ୍ରଦୂଷଣ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତନ ଆଦି ସମସ୍ୟା ସୃଷ୍ଟି ହୋଇ ପରିବେଶ ର ସନ୍ତୁଳନ ବିଗିଡିବାରେ ଲାଗିଛି । ମନୁଷ୍ୟର ଭୋଗବାଦୀ ମନୋଭାବ ଦ୍ୱାରା ଆଜି ପ୍ରକୃତି ଧ୍ଵଂସ ହେବାରେ ଲାଗିଛି । ତେଣୁ ପ୍ରକୃତି ସହିତ ଆମ୍ଭମାନଙ୍କର ସୌହାର୍ଯ୍ୟତା ଓ ସଂପର୍କର ପୁନଃସ୍ଥାପନ ଅନିବାର୍ଯ୍ୟ ହୋଇପଡ଼ିଛି । ପରିବେଶର ବିଭିନ୍ନତା ବଜାୟ ରଖିବାକୁ ହେଲେ ପ୍ରକୃତି ସହ ବନ୍ଧୁତ୍ୱପୂର୍ଣ୍ଣ ସହବସ୍ଥାନ ସ୍ଥାପନ କରିବାକୁ ହେବ । ମଣିଷ ନିଜେ ଚିନ୍ତା କରିବା ଉଚିତ ଯେ ସେ ସ୍ରଷ୍ଟା ନୁହଁ, ବରଂ ସେ ପ୍ରକୃତିରୁ ସୃଷ୍ଟ । ପ୍ରକୃତିର ଅବକ୍ଷୟ ଆଜି ସମଗ୍ର ବିଶ୍ୱ ପାଈଁ ଏକ ଆହ୍ୱାନ ପାଲଟିଛି । ଏହି କ୍ରମରେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ପ୍ରତିବର୍ଷ ଜୁନ୍ ମାସ ୫ ତାରିଖକୁ ସାରା ବିଶ୍ୱରେ “ପରିବେଶ ଦିବସ “ ରୂପେ ପାଳନ କରାଯାଏ । ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ଏହି ଦିବସକୁ ପରିବେଶ ସମ୍ପର୍କିତ ବିଶ୍ୱର ସର୍ବବୃହତ ଘଟଣା ଭାବେ ବିବେଚନା କରାଯାଏ । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ସମଗ୍ର ବିଶ୍ୱ ପରିବେଶ ସହ ଜଡିତ ଆହ୍ୱାନ ଓ ସମସ୍ୟା ଗୁଡିକର ମୁକାବିଲା ତଥା ସମାଧାନ କରିବାର କିଛି ଉପାୟ ଖୋଜା ଯାଇଥାଏ । ପରିବେଶ ହେଉଛି ଆମ ଜୀବନର ଆଧାର । ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ | ଏହି ଉଦ୍ଦେଶ୍ୟକୁ ସମର୍ଥନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୫ ତାରିଖ ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ଏହା ଏକ ବିଶ୍ୱ ବ୍ୟାପୀ ଉତ୍ସବ ଯାହାକି ମାନବଜାତିର ପରିବେଶ ପ୍ରତି ସଚେତନତା ଏବଂ କାର୍ଯ୍ୟ ବିଶ୍ୱର କୋଟି କୋଟି ଲୋକଙ୍କୁ ଏକତ୍ର କରିଥାଏ । ସାରା ବିଶ୍ଵର ଲକ୍ଷ ଲକ୍ଷ ଲୋକ ଓ ଅନେକ ଅନୁଷ୍ଠାନ ଏହାକୁ ପାଳନ କରିଥାନ୍ତି । ପ୍ରତିବର୍ଷ ଏଥିପାଇଁ ଭିନ୍ନଭିନ୍ନ ବିଷୟବସ୍ତୁ ରଖା ଯାଇଥାଏ । ବିଶ୍ୱ ପରିବେଶ ଦିବସ ୨୦୨୩ର ବିଷୟବସ୍ତୁ ହେଉଛି ‘ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ’ । ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ ବିଷୟବସ୍ତୁ ଅଧୀନରେ, ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ କରାଯାଉଛି । ବିଶ୍ୱରେ ଯେତିକି ପ୍ଲାଷ୍ଟିକ ଉତ୍ପାଦିତ ହୁଏ ତାର ପ୍ରାୟ ୧୦ ପ୍ରତିଶତରୁ କମ୍ ପୁନଃ ବ୍ୟବହାର କରାଯାଏ । ପରିତ୍ୟକ୍ତ କିମ୍ବା ପୋଡିଯାଇଥିବା ଏକକ ବ୍ୟବହାର ପ୍ଲାଷ୍ଟିକ ମଣିଷ ତଥା ସମସ୍ତ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଏବଂ ଜୈବବିବିଧତାକୁ କ୍ଷତି ପହଞ୍ଚାଏ ଏବଂ ପରିସଂସ୍ଥା କୁ ପ୍ରଦୂଷିତ କରେ । ବିଶ୍ୱ ପରିବେଶ ଦିବସ ୨୦୨୩ ର ବିଷୟବସ୍ତୁ ଉପଲବ୍ଧ ବିଜ୍ଞାନ ସହିତ ପ୍ଲାଷ୍ଟିକ ପ୍ରଦୂଷଣର କିପରି ସମାଧାନ ହେଇପାରିବ ସେ ବିଷୟରେ ଗୁରୁତ୍ୱ ଆରୋପ କରିଥାଏ । ଆମ ଦେଶର ଅର୍ଥନୀତି ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ । ଏହି ଦୃଷ୍ଟିକୋଣରୁ, ଆଗାମୀ ପ୍ରତ୍ୟେକ ବର୍ଷ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଦୁନିଆର ସବୁଠାରୁ ଜନବହୁଳ ଦେଶ, ତେଣୁ ପରିବେଶ ପ୍ରତି ଆମର ଦାୟିତ୍ଵ ମଧ୍ୟ ଅଧିକ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ବର୍ଷ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର “ମିଶନ ଲାଇଫ” ମୁଖ୍ୟ ବିଷୟ କରିକୁ କେନ୍ଦ୍ର କରି ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ କରିବା ପାଇଁ ଦେଶବ୍ୟାପୀ ପଦକ୍ଷେପ ନେଇଛନ୍ତି । “ମିଶନ ଲାଇଫ” ଅର୍ଥ – ପରିବେଶ ପାଇଁ ଜୀବନ ଶୈଳୀ । ୨୦୨୧ ମସିହାରେ ଗ୍ଲାସଗୋରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ନେତାଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ମିଶନର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ସରଳ କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବା ଯାହା ଜଳବାୟୁ ଉପରେ ଏକ ବଡ ପ୍ରଭାବ ପକାଇପାରେ । ଏହି ଅଭିଯାନ ରେ କେତେକ ଗୁଡିଏ ମୁଖ୍ୟ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଲା କମ୍ ବର୍ଜ୍ୟବସ୍ତୁ ସୃଷ୍ଟି , ଜଳ ସଂରକ୍ଷଣ, ଶକ୍ତି ସଞ୍ଚୟ, ଇଲେକ୍ଟ୍ରନିକ୍ ଆବର୍ଜନା ସୃଷ୍ଟି ରେ ନିୟନ୍ତ୍ରଣ, ଉତ୍ତମ ଜୀବନ ଶୈଳୀ, ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଓ ସଂପୋଷଣୀୟ ଖାଦ୍ୟ ବସ୍ତୁ ଗ୍ରହଣ । ମିଶନ୍ ଲାଇଫ୍ ଅଭିଯାନ ୫ ଜୁନ ୨୦୨୩ରେ ଭାରତରେ ବିଶ୍ୱ ପରିବେଶ ଦିବସର ମହାନ ଉତ୍ସବ ସହିତ ଶେଷ ହେବ। ଏହି ଅବସରରେ ଦେଶ ସାରା ସ୍ୱଚ୍ଛତା ଅଭିଯାନ, ସାଇକେଲ ରାଲି, ବୃକ୍ଷରୋପଣ, ଲାଇଫ୍ ମାରାଥନ୍, ପ୍ଲାଷ୍ଟିକ୍ ସଂଗ୍ରହ, କମ୍ପୋଷ୍ଟିଂ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପରିବେଶ ଦିବସ ଉପଲେକ୍ଷ ଜନସାଧାରଣ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ସେଗୁଡିକ ହେଲା ପ୍ରକୃତିର ସୁରକ୍ଷାରେ ସହଯୋଗ କରିବା, ନିଜ ପରିବେଶରେ ଥିବା ପ୍ରାକୃତିକ ବସ୍ତୁ ଗୁଡିକୁ ଚିହ୍ନଟ କରି ତାର ଗୁରୁତ୍ୱ ବୁଝିବା, ପରିବେଶକୁ ସଫା ସୁତରା ରଖିବା, ବୃକ୍ଷରୋପଣ, ବୃକ୍ଷ ଓ ଉଦ୍ଭିଦ ସଂରକ୍ଷଣ, ଜଳର ସୁବ୍ୟବହାର, ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ, ବାହ୍ୟ ମଳମୂତ୍ର ମୁକ୍ତ ପରିବେଶ, ଉତ୍ତମ ଇନ୍ଧନର ବ୍ୟବହାର, ବର୍ଜ୍ୟ ବସ୍ତୁ ପରିଚାଳନା ଓ ସର୍ବୋପରି ନିଜେ ପରିବେଶରେ ସୁସ୍ଥ ଜୀବନଯାପନ କରିବା ସହ ପରିବେଶର ପ୍ରତିଟି ଉପାଦାନକୁ ସୁରକ୍ଷିତ ରଖିବା, ପୁନଃଉଦ୍ଧାର କରି ଆଗାମୀ ପିଢୀକୁ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରଦାନ କରିବା । ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ସମସ୍ତେ ଶପଥ ନେବା ପରିବେଶ ଉପଯୋଗୀ ଜୀବନ ଶୈଳୀ ଗ୍ରହଣ କରି ପରିବେଶ ସୁରକ୍ଷା ଦିଗରେ ସହାୟକ ହେବା ।