ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ୬ ବର୍ଷ ରୁ ୧୪ବର୍ଷ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି। ପିଲାଙ୍କୁ ସ୍କୁଲ କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗ୍ରାମରେ ସ୍କୁଲ ଖୋଲାଯିବା ସହ ନୂତନ କୋଠା, ପୋଷାକ, ମଧ୍ୟାହ୍ନ ଭୋଜନ ଭଳି ବିଭିନ୍ନ ଯୋଜନା କରି ଆକୃଷ୍ଟ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ୫-ଟି ମାଧ୍ୟମରେ ସ୍କୁଲ କୁ ଆଧୁନୀକରଣ କରି ଆକୃଷ୍ଟ କରୁଛନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଶିକ୍ଷାଧିକାରୀ ଅଧୀନରେ ଥିବା ଦଡକଙ୍ଗିଆ ପଞ୍ଚାୟତର କଡଗାବାଲି ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ୩୦ ଜଣ ଆଦିବାସୀ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ସେହି ସ୍କୁଲକୁ ଚଳିତ ଶିକ୍ଷା ବର୍ଷରୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ୩୦ଛାତ୍ର ଛାତ୍ରୀଙ୍କ ପାଠ ପଢା ରେ ଡୋରି ବନ୍ଧା ହୋଇଯାଇଛି। ଏହାକୁ ନେଇ ଗ୍ରାମବାସୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପ୍ରକାଶ ପାଇଛି। ଜିଲ୍ଲାରେ ଏବେ ତିନି ଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ବର୍ଷା କୁ ଖାତିର ନ କରି କଡଗାବାଲି ରୁ ଗ୍ରାମବାସୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ଓ ଲୋକପ୍ରତିନିଧି ମାନେ ଭିଜି ଭିଜି ପ୍ରାୟ ୨୫ କିଲୋମିଟର ଆସି ବାଲିଗୁଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀଙ୍କ କାର୍ଯ୍ୟାଳୟ ମଧ୍ୟରେ ପଶି ବସି ରହିଥିଲେ। ସେମାନଙ୍କ କହିବା କଥା ୨୦୦୪ ମସିହାରେ ଡୁଙ୍ଗେରିକିଆ, ବେଗାର ପଦର, କାସୁଲିପାଙ୍ଗା, ମୁଣ୍ଡା ସାହି, ଅଡାଙ୍ଗ ପଦର ଗ୍ରାମକୁ ନେଇ କଡଗାବାଲି ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା, କିନ୍ତୁ ବର୍ତ୍ତମାନ ବାରମ୍ବାର ଷଡ଼ଯନ୍ତ୍ର କରି ସ୍କୁଲକୁ ବନ୍ଦ କରି ଦିଆଯାଇଛି। ୨୦୨୦ ମସିହାରେ ଏହି ସ୍କୁଲ ବନ୍ଦ ହୋଇ ଯାଇଥିଲା l ଲୋକଙ୍କ ଦାବୀ ଫଳରେ ସ୍କୁଲ ବନ୍ଦ ନିଷ୍ପତିରେ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଶିକ୍ଷା ବର୍ଷ ଆରମ୍ଭରୁ ହିଁ ସ୍କୁଲକୁ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରିଦିଆଯାଇଛି। କନ୍ଧମାଳ ଜିଲ୍ଲାରେ ପିଲାଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରି ୧୦ ପିଲାରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଠାରେ ୩୦ ପିଲା ଥିବା ସତ୍ବେ କିଭଳି ବିଦ୍ୟାଳୟ ବନ୍ଦ ହେଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ ହୋଇଛି। ଯାହାକୁ ନେଇ ଆମେ ଜିଲ୍ଲାପାଳ, ଜିଲା ଶିକ୍ଷାଧିକାରି, ଶିକ୍ଷାମନ୍ତ୍ରୀ, ବିଧାୟକ ଓ ୫-ଟି ସଚିବଙ୍କୁ ମଧ୍ଯ ପତ୍ର ମାଧ୍ୟମରେ ଜଣାଇଛୁ। କିଛି ଉତ୍ତର ନମିଳିବାରୁ ମଙ୍ଗଳବାର ଦିନ ବର୍ଷାରେ ଭିଜି ଭିଜି ଆସିଥିବା ବିଷୟ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ମଡିସର ମଲ୍ଲିକ, ସମିତି ସଭ୍ୟ ସାମସନ ମଲ୍ଲିକ, ଜୋସେଫ ମଲ୍ଲିକ, ଡାଡ଼ା ମଲ୍ଲିକ, ଘାସିରାମ ଦିଗାଲ ଓ ସୁନୀତା ମଲ୍ଲିକ ପ୍ରକାଶ କରିଛନ୍ତି। ଯଦି ଖୁବ ଶିଘ୍ର ଗଣଶିକ୍ଷା ବିଭାଗ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତିକୁ ବାତିଲ କରି ପୁଣି ସ୍କୁଲକୁ ନ ଖୋଲିଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ସେମାନଙ୍କୁ ଆଶ୍ଵାସନା ଦେବା ପରେ ସେମାନେ ଘରକୁ ଫେରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ କହିଛନ୍ତି ଯେ, ସେମାନଙ୍କ ଦାବୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି l ୨୦୧୯ ସର୍ଭେ ଅନୁଯାୟୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି କିନ୍ତୁ ବର୍ତ୍ତମାନ ସେଠାରେ ବର୍ତ୍ତମାନ ୩୦ ଛାତ୍ର ଛାତ୍ରୀ ଅଛନ୍ତି ଏଣୁ ସ୍କୁଲ ଚାଲିଲେ କିଛି ଅସୁବିଧା ହେବନି ବୋଲି କହିଛନ୍ତି।