ଭୟଙ୍କର ଦିନ; ସଡକ ଦୁର୍ଘଟଣାରେ ଦିନକରେ ବିଜେପି ନେତାଙ୍କ ସହ ୨୨ ମୃତ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଉତ୍ତରପ୍ରଦେଶ ପାଇଁ ସୋମବାର ଥିଲା ଏକ  ଭୟଙ୍କର ଦିନ । ଗୋଟିଏ ଦିନରେ ଏକାଧିକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜେପି ନେତାଙ୍କ ସମେତ  ୨୨ ଜଣଙ୍କ ମୃତ୍ୟୁ  ଘଟିଛି ଗୋଟିଏ ଦିନରେ। ସୂଚନାଯୋଗ୍ୟ ଆଲୀଗଢ଼ ସ୍ଥିତ ଯମୁନା ଏକ୍ସପ୍ରେସ-ୱେ ରେ ବସ୍ ସହ କାର୍ ଧକ୍କା ହେବାରୁ ୪ ଜଣ ମୃତ୍ୟୁବରଣ କରିଛନ୍ତି ।  ଆଜିର ଏହି ଦୁର୍ଘଟଣା ଖବର ସାରା ରାଜ୍ୟରେ   ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁସାରେ, ସୋମବାର ପ୍ରତ୍ୟୁଷରେ ଦ୍ରୁତ ଗତିରେ ଆସୁଥିବା ଏକ କାର ନିୟନ୍ତ୍ରଣ ହରାଇ ଏକ ଖାଇରେ ପଡି ଯାଇଥିଲା । ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏ ସମସ୍ତ ଲୋକ ଜଣେ ରୋଗୀଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯାଉଥିଲେ । ସମସ୍ତ ଲୋକ କାସଗଞ୍ଜ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ଆଲିଗଡର ଯମୁନା ଏକ୍ସପ୍ରେସ ୱେରେ ଏକ ଭଲଭୋ ବସ ଏବଂ କାର ମଧ୍ୟରେ ମୁହାମୁହିଁ ଧକ୍କା ଘଟି ୪ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ଯାକ ଜେବର ଏୟାରପୋର୍ଟରେ କାମ କରୁଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିଭଳି ଉତ୍ତରପ୍ରଦେଶର ରାମପୁରରେ ସଡ଼କ ଦୁର୍ଘଟଣାରେ ୩ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ ୩ଜଣ ସାଙ୍ଗ ଏକ ସ୍କୁଟିରେ ଯାଉଥିବା ସମୟରେ ହଠାତ୍ କୁକୁରଟି ଗାଡି ଆଗକୁ ଆସିଯିବାରୁ ଗାଡିଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ ରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟଏକ ଭୟଙ୍କର ଦୁର୍ଘଟଣାକ୍ରମେ ଆଲିଗଡରେ ରାସ୍ତା କଡରେ ବୁଲୁଥିବା ୫ ଜଣ ଯୁବକଙ୍କ ଉପରେ ଏକ କାର ଚଢି ଯାଇଛି । ଫଳରେ ତିନି ଜଣ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । କାର ଚାଳକ ଗାଡି ସହ ଫେରାର ହୋଇଯାଇଛି । ପ୍ରଦେଶର ହରଦୋଇରେ ଭାଜପା ନେତାଙ୍କ କାର ଏକ ଗଛକୁ ପଟିବା ଫଳରେ ନେତାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ହୋଇଛନ୍ତି । ଦ୍ରୁତ ଗତିରେ ଆସୁଥିବା ଗାଡିଟି ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇ ଯାଇଥିଲା । କାରରେ ୫ ଜଣ ଥିଲେ । ଏହି ବଡବଡ ଦୁର୍ଘଟଣା ବ୍ୟତୀତ ରାଜ୍ୟରେ ଆହୁରି ଦୁର୍ଘଟଣା ଘଟିଛି ଏବଂ ସେଥିରେ ଆହୁରି ଅନେକଙ୍କର ମୃତ୍ୟୁ ଘଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.