କବିତା : ଭାରତ ମାତାର ଦୁଃଖ

 

ସ୍ଵପ୍ନ ଥିଲା ଦିନେ ସ୍ବାଧୀନତା ପରେ
ବଦଳିବ ଆମ ଚିତ୍ର
ଅଦ୍ବିତୀୟ ହେବ ବିଶ୍ବ ଦରବାରରେ
ଅଗ୍ରଣୀ ହେବ ସର୍ବତ୍ର ।
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଏ ମାତ୍ର ।
ସାତ ଦଶନ୍ଧିକୁ ଅତିକ୍ରମ କରି
ତଥାପି ସରେନି ଭୋକ
ଏତ ଭାରତ ମାତାର ଦୁଃଖ
ଏତ ଭାରତ ମାତାର ଦୁଃଖ ।।

ପ୍ରଭାବଶାଳୀଙ୍କ କରଗତ ଏଠି
ଶାସନେ ତାଙ୍କରି ହାତ
ଘରୋଇ କରଣ ପ୍ରମୁଖ ହେଲାଣି
ଦର ବଢେ ଆଶାତୀତ ।
କଷ୍ଟ ପାଏ ମଧ୍ଯବିତ୍ତ ।
ଭାଗ୍ୟକୁ ଆଦରି ମୁଣ୍ଡପାତି ଦିଏ
ବିଚରା ଗରିବ ଲୋକ ।
ଏତ ଭାରତ ମାତାର ଦୁଃଖ
ଏତ ଭାରତ ମାତାର ଦୁଃଖ ।।

ଗଣତନ୍ତ୍ର ଏବେ ଚକ୍ରବ୍ୟୁହରେ
ନୋଟରେ ଭୋଟ ବ୍ୟାଙ୍କ
ଅର୍ଥ ଯୋଗାଡରେ ତତ୍ପର ସମସ୍ତେ
ଆଇନକୁ ମାରି ଫାଙ୍କ ।
ନାହିଁ ଇଶ୍ବରଙ୍କୁ ଭୟ ଦେଖ ।
ଭୁଲି ଯାଉଛନ୍ତି ମାନବ ଧରମ
ହଜିଯାଉଛି ସଂପର୍କ ।
ଏତ ଭାରତ ମାତାର ଦୁଃଖ
ଏତ ଭାରତ ମାତାର ଦୁଃଖ ।।

ଅଭିଯାନ ଚାଲେ ଗରିବ ହଟାଅ
ହଟେନି ଗରିବ ଚିହ୍ନ
ଦୁର୍ନୀତିର କାୟା ବିସ୍ତାର ହେଉଛି
ବଢେ ଶୋଷଣ କଷଣ ।
ଏକତା ହେଉଛି ନ୍ୟୁନ ।
ସୀମା ବିବାଦର ଅଙ୍କ ଛାଡ଼ୁନାହିଁ
ବଢି ଚାଲିଛି ଆତଙ୍କ ।
ଏତ ଭାରତ ମାତାର ଦୁଃଖ
ଏତ ଭାରତ ମାତାର ଦୁଃଖ ।।

ହିମାଞ୍ଚଲ ରାଉତ
ଘଣ୍ଟିଗୁଡ଼ା, ଜୟପାଟଣା, କଳାହାଣ୍ଡି

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.