ନାମାଙ୍କନ ପତ୍ର ଦାଖଲ କଲେ ନର୍ଲା ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାଧାରଣ ନିର୍ବାଚନ ପାଇଁ ନର୍ଲା ବିଧାନସଭା (୮୧) ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀନୀ ଭାବେ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମନୋରମା ମହାନ୍ତି। ଶ୍ରୀମତୀ ମହାନ୍ତି କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରି ତାଙ୍କର ସମର୍ଥକ ଓ ଶହସ୍ରାଧିକ ବିଜେଡ଼ି କର୍ମୀଙ୍କ ସହିତ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଡିଆରଡିଏ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନର୍ଲା ବିଧାନସଭା ଆସନରୁ ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମନୋରମା ମହାନ୍ତି। ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ଜନସାଧାରଣଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ କାମ କରିବି ଏବଂ ବିଜେଡ଼ି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁକୁ  ଜନତାଙ୍କ ପାଖକୁ ପହଞ୍ଚାଇବାର ପ୍ରୟାସ କରିବି ବୋଲି ଶ୍ରୀମତୀ ମହାନ୍ତି ପ୍ରକାଶ କରିଛନ୍ତି। କଳାହାଣ୍ଡି ବିଜେଡ଼ି ସାଧାରଣ ସମ୍ପାଦକ ଟିକେଲାଲ ସାହୁ, ଭବାନୀପାଟଣା ପୌରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବରିଷ୍ଠ ବିଜେଡି ନେତା ଡ଼ଃ ଭବାନୀଶଙ୍କର ନିଆଲ, ଧବଳେଶ୍ୱର ମହାପାତ୍ର, ପ୍ରଦୀପ ଦାସ (ବାପି), ଯୁବ ନେତା ଦଲଜିତ ସିଂ, ଅବିନାଶ ଠାକୁର, ଗୋବିନ୍ଦ ତାଣ୍ଡି, ମ.ରାମପୁର ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ସତପଥି, ନର୍ଲା ବ୍ଲକ ସଭାପତି ପରେଶ ପଧାନ, କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅଜିତ ସାହୁଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.