ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାଧ୍ୟାପକ ଜୟନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ଦ୍ଧିତ ତାପମାତ୍ରା ଜନିତ ଅଂଶୁଘାତର ମୁକାବିଲା କରିବା ସକାଶେ ସଚେତନତା ସୃଷ୍ଟି କରାଯିବା ସହ ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ବିଷୟରେ ଆଲୋଚନା କରାଯାଇ ଥିଲା। ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅଧ୍ୟାପକ ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି, ସନ୍ଦୀପ କୁମାର କାନୁନଗୋ, ତ୍ରିନାଥ ପଟ୍ଟନାୟକ, ସନ୍ତୋଷ କୁମାର ବାରିକ, ବୈକୁଣ୍ଠ ପଟେଲ, ଲିଙ୍ଗେଶ୍ୱର ମେହେର ଓ କ୍ଷୀରସିନ୍ଧୁ ବାରିକ୍ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି ନିଜେ ସୁରକ୍ଷିତ ରହିବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ଅନ୍ୟକୁ ସୁରକ୍ଷା ଦେବାକୁ ଛାତ୍ର-ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। ପ୍ରମୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ , ରେଡ୍ ରିବନ୍ କ୍ଲବ୍ ଓ ଭାରତ ସ୍କାଉଟ୍ ଗାଇଡ ବିଭାଗର ରୋଭର୍ ରେଞ୍ଜର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।