ହକି ଇଣ୍ଡିଆ ସଭାପତି ଦିଲୀପ କହିଲେ ଆବଶ୍ୟକ ପଡିଲେ ଆମେ ପାକିସ୍ତାନ ଯାଇ ମ୍ୟାଚ ଖେଳିବୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାକିସ୍ତାନ ହକି ଟିମ ଏସିଆନ ଚାମ୍ପିୟନଶିପ ଖେଳିବା ପାଇଁ ଭାରତ ଆସିଛି । ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ଯଦି ଆମର ଆବଶ୍ୟକ ପଡେ ତାହାହେଲେ ପାକିସ୍ତାନ ଯାଇ ଖେଳିବାରେ କୌଣସି ଅସୁବିଧା ନାହିଁ । ୨୩ ସେପ୍ଟମ୍ବରରୁ ଆରମ୍ଭ ହେଉଥିବା ଏସିଆନ ଗେମ୍ସରେ ଯଦି ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ନ କରିପାରେ ତେବେ କ୍ୱାଲିଫାୟର ପାଇଁ ପାକିସ୍ତାନ ଯିବ ବୋଲି ସେ କହିଛନ୍ତି । ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଟିମକୁ ସିଧାସଳଖ ଅଲିମ୍ପିକ କୋଟା ମିଳିଥାଏ । ଏଥିରେ ବିଫଳ ଟିମ ଯୋଗ୍ୟତା ହାସଲ ପାଇଁ ପାକିସ୍ତାନ ଓ ସ୍ପେନରେ କ୍ୱାଲିଫାୟର୍ସରେ ଖେଳିବାକୁ ପଡିବ ।

ଏବେ ଆମେ ଏସିଆନ ଗେମ୍ସ ମାଧ୍ୟମରେ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିବୁ । ତେବେ ଏ ସବୁ ସତ୍ୱେ ଆମେ ସରକାରଙ୍କ ମଂଜୁରୀକୁ ଅପେକ୍ଷା କରିବୁ ବୋଲି ଦିଲୀପ କହିଛନ୍ତି । ଏସିଆଡ ପୂର୍ବରୁ ଏ ଭଳି ଟୁର୍ଣ୍ଣାମେଂଟରେ ଖେଳାଳିଙ୍କ ଆଘାତ ସମସ୍ୟା ଅସୁବିଧାରେ ପକାଇପାରେ ପ୍ରଶ୍ନର ଉତରରେ ସେ କହିଥିଲେ, ପ୍ରଶିକ୍ଷଣ ଓ ଅଭ୍ୟାସ ମ୍ୟାଚ ଅବସରରେ ମଧ୍ୟ ଜଣେ ଆଘାତପ୍ରାପ୍ତ ହୋଇପାରିବ । ସେ ନେଇ ଚିନ୍ତା କଲେ ଆନ୍ତର୍ଜାତୀୟ ମ୍ୟାଚ ଖେଳି ହେବନି । ଏସିଆଡ ପୂର୍ବରୁ ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଆମକୁ ଭଲ ପ୍ରସ୍ତୁତି ମିଳିବ ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.