ଅଙ୍ଗନୱାଡି ଗୃହ ନିର୍ମାଣ ଦାବିରେ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ଚିଲିଗୁଡା ଗ୍ରାମରେ ନୂତନ ଅଙ୍ଗନୱାଡି ଗୃହ(କ) ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ପୁରୁଣା କୋଠାକୁ ଭାଙ୍ଗି ନୂତନ କୋଠା ନିର୍ମାଣ କରିବାକୁ ଜୈନେକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି, ହେଲେ କାର୍ଯ୍ୟାଦେଶର ଏକ ବର୍ଷ ବିତିଗଲେ ମଧ୍ୟ ଆଜି ଯାଏଁ ପ୍ଲିନ୍ଥ କାମ ବି ଆରମ୍ଭ ହୋଇନି। ଛାତ୍ର ଛାତ୍ରୀ ଓ ଗର୍ଭବତୀ, ପ୍ରସୂତି ମା ମାନେ ଯେମିତି ସମସ୍ୟାରେ ନପଡନ୍ତି ସେଥିପାଇଁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଅସ୍ଥାୟୀ ଭାବରେ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ବାରଣ୍ଡାରେ କେନ୍ଦ୍ର ଚାଲି ଆସୁଥିଲା। ଦୁଇ ତିନି ମାସର ସମୟ ମାଗି ଦୀର୍ଘ ଏକ ବର୍ଷ ବିତିଗଲା ହେଲେ ଘରର ମୂଳଦୁଆ ବି ହୋଇନି ଏପଟେ ବର୍ଷେ ହୋଇଯିବାରୁ ଘର ମାଲିକ ଭଡା ପାଇଁ ଦାବୀ କରୁଛନ୍ତି। ଏପରିସ୍ଥଳେ ଗ୍ରାମବାସୀ କିଂକର୍ତ୍ତବ୍ୟ ହୋଇ ଆଜି ବିଡ଼ିଓଙ୍କ ଦ୍ୱାରସ୍ତ ହୋଇ ଶୀଘ୍ର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଓ ବିଗତ ଦିନରେ ଚାଲିଆସିଥିବା ସମୟର ଘରଭଡା ପ୍ରଦାନ ପାଇଁ ଦାବୀ କରିଛନ୍ତି। ଦାବୀ ଗ୍ରହଣ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ ଶୀଘ୍ର କାର୍ଯ୍ୟାଆରମ୍ଭ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ନିତ୍ୟାନନ୍ଦ ପଣ୍ଡା, ପ୍ରଶାନ୍ତ ଗୋପାଳ, ଅର୍ଜୁନ ହଂସ, ମଣିରାମ ଗୋପାଳ, ଦେବେନ୍ଦ୍ର ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.