ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଗୁରୁବାର କୋକସରା ବ୍ଲକ ଗସ୍ତରେ ଆସି ‘୫-ଟି’ ସ୍କୁଲ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟ ତଦାରଖ କରିଛନ୍ତି। ପ୍ରଥମେ ଜିଲ୍ଲାପାଳ ମୋଟେର ‘୫-ଟି’ ସ୍କୁଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରି ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ବ୍ଳକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡଃ. ତତ୍ତ୍ବଦର୍ଶୀ ଦାଶଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା ଓ ଆଲୋଚନା କରିଥିଲେ। ଏହି ସମୟରେ ବ୍ଳକ କାର୍ଯ୍ୟାଳୟଠାରେ କୋକସରା ସାମ୍ବାଦିକ ସମୂହ ପକ୍ଷରୁ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଯେଉଁ ପ୍ରକଳ୍ପ ଗୁଡ଼ିକ ସ୍ଥାନ ନିରୂପଣ ହୋଇଛି ସେହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି, ଦ୍ବିତୀୟ ପର୍ଯ୍ୟାୟରେ ସାମ୍ବାଦିକ ଭବନ ପାଇଁ ସ୍ଥାନ ନିରୂପଣ ହେଲେ ଅର୍ଥ ମଞ୍ଜୁର କରାଯିବ ବୋଲି କହିଥିଲେ। ଏହାପରେ ସ୍ଥାନୀୟ ଯୁକ୍ତ ଦୁଇ ବିଦ୍ୟାଳୟଠାରେ ପହଞ୍ଚି ଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବା ସହ ୫-ଟି ରେ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ସେଠାରୁ ଡେଙ୍ଗାଗୁଡା ଓ ପରେ ଡୁଡୁକାଠେଙ୍ଗା ୫-ଟି ସ୍କୁଲ ପରିଦର୍ଶନ କରି ସ୍କୁଲ ନିର୍ମାଣ ସ୍ଥାନ ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଫେରିଥିବା ଜଣାପଡିଛି। ଏହି ଗସ୍ତ ସମୟରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ତହସିଲଦାର ଦେବବ୍ରତ କରାଟି, କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ।