ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିକାଶର ସୁନେଲି ଚିତ୍ର ଦେଖାଇ ଚାଲିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାରିବା ପଣିଆକୁ ଉପହାସ କରୁଛି ଏହି ଛବି। ଭଲ ରାସ୍ତା ନଥିବାରୁ ଗାଁକୁ ଆସିଲାନି ଆମ୍ବୁଲାନ୍ସ। କାଦୁଅ ପଚପଚ୍ ରାସ୍ତାରେ ଖଟିଆରେ ବୁହାହୋଇ ଆଧାବାଟ ଗଲା ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ସର୍ଗିଗୁଡାର ଶ୍ରୀରାମନଗର ପଡ଼ାରେ। ଏଇ ପଡ଼ାର ରହୁଥିବା କେତୁ ମାଝୀଙ୍କ ସ୍ତ୍ରୀ ମଙ୍ଗଳ ମାଝୀ (୬୦) ଗୁରୁବାର ରାତିରୁ ଅସୁସ୍ଥତା ଅନୁଭବ କରିଥିଲେ। ଶୁକ୍ରବାର ସକାଳେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏହା ପରେ ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ପଡା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସି ନପାରି ଅଧା ବାଟରେ ଅଟକି ରହିଥିଲା। ପରିବାର ଓ ଗ୍ରାମବାସୀ ପ୍ରାୟ ଏକ କିମି. ଦୂର କାଦୁଅ ରାସ୍ତାରେ ଗୁରୁତର ମହିଲା ମଙ୍ଗଳଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମହିଳା ଜଣକ ସୁସ୍ଥ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି।