ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ମହିମା ମଠରେ ନବାନ୍ନ ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ନବାନ୍ନ ଭକ୍ଷଣ କରିଥାନ୍ତି ମହିମା ଧର୍ମାବଲମ୍ବୀ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ମହିମା ମଠରେ ବ୍ରହ୍ମ ଅବଧୂତ ଭଗବାନ ବାବାଙ୍କ ତତ୍ୱାବଧାନରେ ଅଞ୍ଚଳର ମହିମା ଧର୍ମାବଲମ୍ବୀ ସାଧୁ ଭକ୍ତମାନେ ନବାନ୍ନ ପର୍ବ ପାଳନ କରିଛନ୍ତି। ଆଜି (ବୁଧବାର) ଶ୍ରାବଣ ପୂର୍ଣ୍ଣିମାର ନିର୍ଦ୍ଧାରିତ ସମୟରେ ମହିମା ସ୍ୱାମୀଙ୍କୁ ନୂଆ ଅନ୍ନ ସମର୍ପଣ କରି ଶହ ଶହ ଭକ୍ତ ମିଳିତ ଭାବେ ନବାର୍ଣ୍ଣ ଭକ୍ଷଣ କରିଥିଲେ। ପ୍ରସାଦ ସେବନ ପରେ ଭକ୍ତମାନେ ମିଳିତ ଭାବେ ମହିମା ସ୍ୱାମୀଙ୍କୁ ମୁଣ୍ଡିଆ ମାରିବା ସହିତ ସାଧୁମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ପରେ ଭକ୍ତ ଭାଇମାନେ ମଧ୍ୟ ନିଜ ନିଜ ଭିତରେ ଶରଣ ମାନ୍ୟ କରି ଭେଟଘାଟ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଟୋଲବ୍ରାହ୍ମଣୀର ପ୍ରସିଦ୍ଧ ବୈଦ୍ୟରାଜ ପବିତ୍ର ଶବରଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ମହିମା ଧର୍ମାବଲମ୍ବୀ ଭକ୍ତମାନେ ଉପସ୍ଥିତ ଥିଲେ।