ଘୋଷଣା ହୋଇପାରେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ବିରୋଧୀ ମେଣ୍ଟ ଇଣ୍ଡିଆାର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ୨୦୨୪ ଲେକା ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ୨୮ ଦଳ, ୬୨ ନେତା । ତାଭିତରୁ କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏ ନେଇ ଆଜି ଦଳ ପକ୍ଷରୁ  ଘୋଷଣା  କରାଯାଇପାରେ ।  ଏହା ବ୍ୟତୀତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ବୈଠକରେ ନିଆ ଯାଇପାରେ । ଆସନ ବୁଝାମଣା, ମେଣ୍ଟର ଲୋଗୋ, ପତାକା ଏବଂ ସଂଯୋଜକ ବାଛିବା ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯାଇ ପାରେ ।

ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ମେଣ୍ଟରେ ସହମତି ପ୍ରକାଶ ପାଇବ ତ ? ଯଦି ବିନା ଚେହେରାରେ ମୈଦାନକୁ ଆସୁଛନ୍ତି ତେବେ ସିଟ ଫର୍ମୁଲା କ’ଣ ରହିବ ? ଦୁଇ ଦିନିଆ ଏହି ବୈଠକରେ ୨୮ ଦଳ ସାମିଲ ରହିବେ । ୨୦୨୪ ନିର୍ବାଚନରେ ଏନଡିଏର ମୁକାବିଲା କରିବା ପାଇଁ ସଂଯୁକ୍ତ ପ୍ରଚାର ରଣନୀତି, ମେଣ୍ଟର କାର୍ଯ୍ୟକ୍ରମ, ଦେଶବ୍ୟାପି ଆନ୍ଦୋଳନ କରିବା ପାଇଁ ସଂଯୁକ୍ତ ଯୋଜନା ପ୍ରସ୍ତୁତ କରିବା, ଆସନ ବୁଝାମଣା ପରି ଅନେକ ଚାଲେଞ୍ଜ ମେଣ୍ଟ ସାମ୍ନାରେ । କେମିତି ଏହାର ସମାଧାନ କରିବେ ତାହ ହିଁ ଦେଖିବାର କଥା ।

ଯଦିଓ ବାହାରକୁ ମେଣ୍ଟ ନିଜର ଏକତା ଦେଖାଉଛି ତେବେ ଭିତରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଟଣାଓଟରା ଜାରି ରହିଛି । ବୁଧବାର ଆମ ଆଦମୀ ପାର୍ଟି ପକ୍ଷରୁ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଦାବି ହୋଇଛି । ଅବଶ୍ୟ ପରେ ଏହାକୁ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି ।  ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବି କରାଯାଇଛି । ଏହାବାଦ ଜେଡିୟୁ  ସମେତ ଅନେକ ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜ ନିଜ ନେତାଙ୍କ ନାଁ  ସୁପାରିଶ କରିଛନ୍ତି ।

 ଏସବୁ ବାଦ ଆଜିର ବୈଠକରେ ଇଣ୍ଡିଆର ଲାେଗୋ ସ୍ଥିର କରାଯିବ । ଦିଲ୍ଲୀରେ ଏହାର ହେଡକ୍ୱାର୍ଟର କରିବା ପାଇଁ ପ୍ରସ୍ତାବ ରଖାଯିବ । ମେଣ୍ଟ ସଂଯୋଜକ ପଦ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।  କୋଅଡିନେଶନ କମିଟି ଗଠନ ଉପରେ ମଧ୍ୟ ଆଲୋଚନା ହୋଇପାରେ । ଏପରିକି ମେଣ୍ଟର ମୁଦ୍ଦା କ’ଣ ରହିବ ତା ଉପରେ ମଧ୍ୟ ଏହି ଦୁଇ ଦିନିଆ ବୈଠକରେ ଆଲୋଚନା ହୋଇପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.