ସୁବର୍ଣ୍ଣପୁର ପଞ୍ଚାରଥ ମନ୍ଦିରରୁ ଚୋରୀ ଘଟଣାର ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ସଦର ମହକୁମାର କେନ୍ଦ୍ର ସ୍ଥଳରେ ରହିଥିବା ପଞ୍ଚରଥ ମନ୍ଦିରରୁ ଚୋରୀ ହୋଇଥିବା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ସୋନପୁର ପୋଲିସ l ଅଭିଯୁକ୍ତ ଜଣକ ହେଲେ ଲଛିପୁରର ଆଲୋକ ସେଠୀ ଓ ତାକୁ ସୋନପୁର ପୋଲିସର ଏକ ଟିମ ତାଙ୍କ ଘରୁ ଗିରଫ କରିଥିବା ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଦୁଇ ଦିନ ତଳେ ପଞ୍ଚରଥ ମନ୍ଦିର ରୁ କିଛି ମୂର୍ତ୍ତି ଚୋରୀ ହୋଇଥିବା ବେଳେ ସୋନପୁର-ବଲାଙ୍ଗୀର ରାସ୍ତାର ଝିଙ୍କି ଟିକ୍ରା ନିକଟରେ ଏକ ରଙ୍ଗ ମିସ୍ତ୍ରୀ ରଙ୍ଗକାମ କରୁଥିବା ସମୟରେ ଜଣେ ଯୁବକ ଆସି କିଛି ସାମଗ୍ରୀ ବିକ୍ରୀ କରିବାକୁ ଚାହିଁଥିଲା । ରଙ୍ଗ ମିସ୍ତ୍ରୀ ଜଣକ କି ସାମଗ୍ରୀ ବୋଲି ପଚାରିବାରୁ ଯୁବକ ଜଣକ ଗୋଟିଏ ବେଗରୁ କିଛି ଧାତୁ ମୂର୍ତ୍ତୀ ଦେଖାଇଥିଲା ଫଳରେ ରଙ୍ଗ ମିସ୍ତ୍ରୀ ଏହା ଚୋରୀ ସାମଗ୍ରୀ ବୋଲି ସନ୍ଦେହ କରିବା ସହ ଉକ୍ତ ଯୁବକକୁ ଧରି ପକାଇଥିଲେ । ହେଲେ ଯୁବକ ଜଣକ ଚତୁରତାର ସହ ବେଗ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ବେଗ ଭିତରେ ଗୋଟିଏ ଶିବ, ପାର୍ବତି, ବିଷ୍ଣୁ, ଗଣେଶ ସହ ଏକ କଳସ ଏବଂ ଘଣ୍ଟି ରହିଥିବା ଜଣାପଡି ଥିଲା। ତେବେ ଏନେଇ ରଙ୍ଗ ମିସ୍ତ୍ରୀ କିରଣ ଚରଣ ଦାସ ସୋନପୁର ଥାନାକୁ ଆସି ଉକ୍ତ ସାମଗ୍ରୀ ସବୁକୁ ଜମା ଦେଇଥିବା ବେଳେ ତାହା ପଞ୍ଚରଥ ମନ୍ଦିରରୁ ଚୋରୀ ହୋଇଥିବା ସାମଗ୍ରୀ ବୋଲି ଆଇଆଇସି ସୂଚନା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.