କାରଖାନା ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ଗେଟ ସମ୍ମୁଖ ଠାରେ ଗୋଳାବାରୁଦ କାରଖାନା , ବଡ଼ମାଳ କତୃପକ୍ଷ ଓ ଠିକାଦାର ମାନେ ବିସ୍ଥାପିତ ଅଞ୍ଚଳବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରି ବିସ୍ଥାପିତ କମିଟି ବଡ଼ମାଳ ତରଫରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଯଦି କାରଖାନା କତୃପକ୍ଷ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି l ଏହି ପରିପେକ୍ଷୀରେ କାରଖାନା ମହାପ୍ରବନ୍ଧକ ଅନୁପସ୍ଥିତ ଥିବାରୁ କାରଖାନାର ଅତିରିକ୍ତ ମହାପ୍ରବନ୍ଧକ ପ୍ରଭାତ ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ପ୍ରକାଶ ଯେ , ଗତ ୧୯୮୪ ମସିହାରେ ଭାରତ ସରକାର ବଡ଼ମାଳ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରିଥିଲେ l ଫଳରେ ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୀତି ଦିଗରେ ଉନ୍ନତ ହେବ ଓ ଅଞ୍ଚଳ ଯୁବଗୋଷ୍ଠୀ କର୍ମନିଯୁକ୍ତି ମିଳିବା ନେଇ ଆଶା ପ୍ରକଟ କରିଥିଲେ l କିନ୍ତୁ ତାହା ବିପରୀତ ପରିଲିକ୍ଷିତ ହୋଇଥିବା ଅଭିଯୋଗ ହୋଇଛି l ଏହି କାରଖାନାରେ ସରକାରୀ ଚାକିରୀ ତ ଦୂର କଥା ପ୍ରାଇଭେଟ କାମ ଟିଏ ମଧ୍ୟ ମିଳି ପାରୁ ନାହିଁ l ଏପରିକି ସରକାରୀ କର୍ମଚାରୀ ଓ ପ୍ରାଇଭେଟ କଣ୍ଟ୍ରାକ୍ଟର ମାନେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ଉଠାଇଛନ୍ତି l ଏହି କାରଖାନାରେ ଦୀର୍ଘ ଗୋଟିଏ ବର୍ଷ ହେଲା ୨ ଗୋଟି ପ୍ରାଇଭେଟ ସିକ୍ଯୁରିଟି ପଦବୀ ଖାଲି ଥିବା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ l ଏହା ସହିତ ଶ୍ରମିକମାନଙ୍କ ଦିନ ମଜୁରୀ ୫ ଶହ ଟଙ୍କା ଥିବା ସତ୍ତ୍ୱେ ୨୨୦ ରୁ ୨୮୦ ଟଙ୍କା ଦେଇ ବାକି ଏଟିଏମ ରୁ କାଢି ନିଆଯାଉଥିବା ଅଭିଯୋଗ କରିଛନ୍ତି l ଏହି କାରଖାନାର କାଯ୍ୟରତ କର୍ମଚାରୀ ସୀତାରାମ ଦୀପ ଗତ ୨୦୨୩ ଫେବୃଆରୀ ୧୧ ରେ ମୃତ୍ୟୁବରଣ କରିଥିଲେ ମଧ୍ୟ ପରିବାର ତରଫରୁ କାହାକୁ ବି ଚାକିରୀ ଦେଇ ନ ଥିଲେ l ଫଳରେ ବିସ୍ଥାପିତ ଓ ପରିବାର ବନ୍ଧୁ କାରଖାନା ପରିସରରେ ମଧ୍ୟ ଧାରଣା ବସିଥିବା ବେଳେ କାରଖାନା ମହାପ୍ରବନ୍ଧକ ପ୍ରାଇଭେଟ କାମ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୂତ କରିଥିଲେ l କିନ୍ତୁ ଘଟଣାର ୬ ମାସ ବିତିଯାଇଥିଲେ ସୁଦ୍ଧା କାରଖାନା କର୍ତୃପକ୍ଷ ପରିବାରଙ୍କୁ ନିରାଶ କରିଛନ୍ତି l ଏହି କାରଖାନା କର୍ତୃପକ୍ଷର ବିସ୍ଥାପିତ ପରିବାରଙ୍କୁ ବୈମାତୃକ ମନୋଭାବ କରି ଆସୁଥିବାରୁ ବିସ୍ଥାପିତ କମିଟିରେ ଅସନ୍ତୋଷ ଦେଖାଦେଇଛି l ଏହି ଗଣ ଆନ୍ଦୋଳନରେ ଆବାହକ ସାମୁଏଲ ନନ୍ଦ, ସରପଞ୍ଚ ମନୀଷ ସୁନା, ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀ , କୁଇକେଡା ସରପଞ୍ଚ ଯୁଗୁଲାଲ ମାଝୀ, ସମିତି ସଭ୍ୟ ଚାନ୍ଧୁଲାଲ ଭୋଇ, ସମିତି ସଭ୍ୟା ଅମ୍ରିତା ଦୀପ, ନାଏକ ସରପଞ୍ଚ ବନ୍ଧିତା ପଟେଲ, ସଂଯୁକ୍ତା ତାଣ୍ଡି, ବେଦବ୍ୟାସ ଭୋଇ, ହରେକୃଷ୍ଣ ବଗର୍ତି, ନିରୋଦ ନନ୍ଦ, ଅନାଦି ମୁନା, ହରିଶଙ୍କର ତାଣ୍ଡି, ଅମିତ ଦୀପଙ୍କ ସମେତ ବହୁ ମହିଳା ଓ ବିସ୍ଥାପିତ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଆନ୍ଦୋଳନ ସାମିଲ ହୋଇଥିଲେ l ଏହି ଆନ୍ଦୋଳନକୁ ଦୃଷ୍ଟି ରଖି ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ସଇଁତଲା ଓ ବଡ଼ମାଳ ପୋଲିସ ଉପସ୍ଥିତ ଥିଲେ l